ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୭ ମାସ କଂଗ୍ରେସ ଅଧ୍ୟକ୍ଷ ରହିବା ପରେ ଶେଷରେ ଆଜି ପଦବୀରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧି।

ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧି। ସେ ତାଙ୍କ ଚାରି ପୃଷ୍ଠାର ଇସ୍ତଫାପତ୍ର ଏଆଇସିସିକୁ ଦେଇଛନ୍ତି। ଏହାସହ ଏହି ଇସ୍ତଫାପତ୍ରକୁ ସେ ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି।

ତେବେ ଏହି ଚାରି ପୃଷ୍ଠାର ଇସ୍ତଫପତ୍ରରେ ରାହୁଲ କ’ଣ ଲେଖିଛନ୍ତି ଜାଣନ୍ତୁ।

‘‘ଦଳର ପରାଜୟ ପାଇଁ ମୁଁ ଦାୟୀ’’

ରାହୁଲ ଗାନ୍ଧି ତାଙ୍କ ଚାରି ପୃଷ୍ଠିଆ ଚିଠିରେ ନିଜ ମନର କଥା କହିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି, ‘‘କଂଗ୍ରେସ ଦଳ ପାଇଁ କାମ କରିବା ମୋ’ ଲାଗି ସମ୍ମାନର ବିଷୟ। କଂଗ୍ରେସ ଦଳର ସୁନ୍ଦର ବିଚାରଧାରା ରହିଛି। ୨୦୧୯ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସଭାପତି ଭାବେ ମୁଁ ନିଜକୁ ଦାୟୀ କରୁଛି। ଦଳକୁ ଆଗକୁ ନେବା ପାଇଁ ପରାଜୟକୁ ସ୍ୱୀକାର କରିବାକୁ ପଡ଼ିବ। ଏଥିପାଇଁ ମୁଁ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି।’’

‘‘ମୁଁ ବେଇମାନୀ କରିବିନି’’

ଚାରି ପୃଷ୍ଠିଆ ଚିଠିରେ ରାହୁଲ ନିଜକୁ ଦାୟୀ କରିଛନ୍ତି। ଏହାସହ ଦଳର ଆଉ କିଛି ଲୋକ ମଧ୍ୟ ନିଜକୁ ଦାୟୀ କରିବା ଦରକାର ବୋଲି ରାହୁଲ କହିଛନ୍ତି।

‘‘ଦଳର ସଭାପତି ଭାବେ ପରାଜୟକୁ ଯଦି ମୁଁ ସ୍ୱୀକାର ନକରି ଅନ୍ୟ ଲୋକଙ୍କ ମୁଣ୍ଡରେ ଲଦି ଦେବି ତାହାଲେ ସେଇଟା ବେଇମାନୀ ହୋଇଯିବ। ମୁଁ ବେଇମାନୀ କରିବିନି’’, କହିଛନ୍ତି ରାହୁଲ ଗାନ୍ଧି।

କଂଗ୍ରେସ ହେଉଛି ଏକ ପୁରୁଣା ଦଳ। ଏହାର ବିଚାରଧାରା ଭଲ ବୋଲି ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି।

‘‘କଂଗ୍ରେସର ଉତ୍ତରାଧିକାରୀ ବାଛିବାକୁ ମତେ କିଛି ବନ୍ଧୁ ପ୍ରସ୍ତାବ ଦେଇଥିଲେ। ହେଲେ ମୁଁ କାହା ନାଁ ସୁପାରିଶ କରିବା ଠିକ୍ ହେବନି। ଦଳର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଦଳ ନିର୍ଣ୍ଣୟ କରିବ। ଦଳ ଏମିତି ସଭାପତି ବାଚିବା ଦରକାର ଯିଏ ଦୃଢ଼ ନେତୃତ୍ୱ ଦେଇ ପାରିବ।’’

‘‘ଶେଷ ନିଶ୍ୱାସ ଥିବା ଯାଏଁ ବିଜେପିର ବିଚାରଧାରାକୁ ବିରୋଧ କରିବି’’

ରାହୁଲ ତାଙ୍କ ଚାରି ପୃଷ୍ଠିଆ ଚିଠିରେ ବିଜେପି ଉପରେ ବର୍ଷିଛନ୍ତି। ବିଜେପିର ବିଚାରଧାରାକୁ ସେ ଏହି ଚିଠିରେ ବିରୋଧ କରିଛନ୍ତି।

ରାହୁଲ କହିଛନ୍ତି, ‘‘ମୁଁ ଆରମ୍ଭରୁ ବିଜେପିକୁ ବିରୋଧ କରି ଆସୁଛି। ଶେଷ ନିଶ୍ୱାସ ଥିବା ଯାଏଁ ମୁଁ ବିଜେପିର ବିଚାରଧାରାକୁ ବିରୋଧ କରୁଥିବି। ଭାରାତୀୟ ବିଚାରଧାରାକୁ ଆଧାର କରି ମୁଁ ବିଜେପିକୁ ବିରୋଧ କରୁଛି।’’

‘‘ବିଜେପି ସାରା ଦେଶରେ ହିଂସା ଏବଂ ଘୃଣାର ରାଜନୀତି କରୁଛି। ହେଲେ ମୁଁ ରାଜନୀତି କରି ଲୋକଙ୍କୁ ଭଲପାଇବା ଦେଉଛି। ଭାରତରା କୋଟି କୋଟି ଲୋକଙ୍କ ପାଇଁ ମୁଁ ଲଢ଼େଇ କରୁଛି। ମୁଁ କଂଗ୍ରେସ ପାର୍ଟିର ସଚ୍ଚୋଟ ସୈନିକ ଏବଂ ଭାରତ ମାତାର ପୁଅ। ଦେଶକୁ ବଞ୍ଚାଇବା ପାଇଁ ମୋ ଲଢ଼େଇ ଜାରି ରହିବ।’’

କଂଗ୍ରେସକୁ ନୂଆ ରୂପ ଦେବାକୁ ପଡ଼ିବ

‘‘ଭାରତର କୋଟି କୋଟି ଲୋକଙ୍କ ସ୍ୱରକୁ ଚାପିବାକୁ ଚେଷ୍ଟା କରୁଛି ବିଜେପି। ଏଣୁ ଏହି ଲୋକମାନଙ୍କ ସୁରକ୍ଷା ପାଇଁ କଂଗ୍ରେସକୁ ବଡ଼ ଦାୟିତ୍ୱ ନେବାକୁ ପଡ଼ିବ। ଅମା ଦେଶରେ ସମସ୍ତଙ୍କର କହିବାର ଅଧିକାର ରହିଛି। ଏହା ହେଉଛି ଆମର ପରିଚୟ। ଏଥିପାଇଁ କଂଗ୍ରେସକୁ ନୂଆ ରୂପରେଖ ଦେବାକୁ ପଡ଼ିବ’’, କହିଛନ୍ତି ରାହୁଲ।

ଶେଷରେ ରାହୁଲ ତାଙ୍କ ଚିଠିରେ ହଜାର ହଜାର ଭାରତୀୟଙ୍କୁ ଧନ୍ୟବାଦ ଦେଇଛନ୍ତି।

Comment