ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟସଭା ଉପନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଆଜି ରାଜ୍ୟସଭା ସାଂସଦ ଭାବରେ ଶପଥ ନେଇଛନ୍ତି। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତା ପାଇଁ ଶପଥ ପାଠ କରାଇଥିଲେ।

ରାଜ୍ୟସଭା ଉପନିର୍ବାଚନ ପାଇଁ ଖାଲି ପଡ଼ିଥିବା ୩ଟି ଆସନରେ ବିଜେଡିରୁ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ବିଜେପିରୁ ଅଶ୍ଵିନୀ ବୈଷ୍ଣବ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ବିଜେପି ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଇଥିବା ବେଳେ ଆଜି ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଶପଥ ନେଇଛନ୍ତି।

ବିଜେଡି ଆଇଟି ସେଲର ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଅଚ୍ୟୁତାନନ୍ଦ ସାମନ୍ତ ଓ ପ୍ରତାପ ଦେବଙ୍କ ସ୍ଥାନରେ ରାଜ୍ୟସଭା ପଠାଯାଇଛି। ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଅଶ୍ଵିନୀ ବୈଷ୍ଣବ ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ।

ପୂର୍ବରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଅଶ୍ଵିନୀ ବୈଷ୍ଣବଙ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରେ ୩ଜଣ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ।

ଅଚ୍ୟୁତାନନ୍ଦ ସାମନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଲୋକସଭା ଓ ବିଧାନସଭା ନିର୍ବାଚନ ଜିତିବା ପରେ ଖାଲି ପଡିଥିବା ୩ଟି ଆସନରେ ଉପନିର୍ବାଚନ ହୋଇଥିଲା।

Comment