ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ଏସ୍‌ଭିନିର୍‌ତାର) ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।

୬୦ତମ ଜାତୀୟ ରାଜପଥ ଦାମୋଦରପୁର ଛକ ନିକଟରେ ଦୁଇଜଣ ବାଇକ୍‌ରେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପଛରୁ ଶ୍ରୀ ଦାସଙ୍କ କାର୍ ଉପରକୁ ପ୍ରଥମେ ଢେଲା ମାଡ଼ କରିଥିଲେ। ଯାହାଫଳରେ ତାଙ୍କ କାର ପଛ କାଚ ଭାଙ୍ଗିଯାଇଥିଲା। ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଏକ ବେଶୀ ବନ୍ଧୁକ ସାହାଯ୍ୟରେ ଗାଡ଼ି ପଛକୁ ବାଡେଇଥିଲେ।

ଗାଡିର ବେଗ ଅଧିକ ଥିବାରୁ ବନ୍ଧୁକଟି କୌଣସି ମତେ ଦୁର୍ବୃତ୍ତଙ୍କ ହାତରୁ ଖସିଯାଇ ଶ୍ରୀ ଦାସଙ୍କ ମୁଣ୍ଡରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣାନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଶେଷ ଖବର ସୁଦ୍ଧା କୌଣସି ଏତଲା ହୋଇନାହିଁ।

ଗୋବିନ୍ଦପୁର, ନିଆଳି ଓ ବାଲିଅନ୍ତା ଥାନା ପୋଲିସ୍ ମିଳିତ ଭାବେ ଘଟଣାସ୍ଥଳରେ ଅହଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ନିର୍ଦ୍ଦେଶକ ଶ୍ରୀ ଦାସଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦିନ ଧରି ଏସ୍‌ଭିନିର୍‌ତାରରେ ବିବାଦ ଲାଗି ରହିଥିଲା।

ଏମିତିକି କିଛି ଦିନ ପୂର୍ବରୁ ତାଙ୍କୁ ଜୀବନରୁ ମାରି ଦେବାକୁ କେହି ଜଣେ କର୍ମଚାରୀ ତାଙ୍କୁ ଧମକ୍ ଦେଇଥିଲେ। ଏହା ପଛର କ’ଣ ଉଦ୍ଦେଶ୍ୟ ରହିଛି ସେ ସମ୍ପର୍କରେ ସେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି।

Comment