ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ବିଚାରପତି ନିଯୁକ୍ତି ନେଇ ଚାଲିଥିବା ବିବାଦର ଅନ୍ତ ଘଟିନାହିଁ। ଓଡ଼ିଶା ହାଇକୋର୍ଟ ବାର୍ ଆନ୍ଦୋଳନକୁ ବ୍ୟାପକ କରିଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ହାଇକୋର୍ଟ ବାର୍ ପକ୍ଷରୁ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବିଚାରପତି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି।

ଓଡିଶା ହାଇକୋର୍ଟରେ ଜଜ୍ ଚୟନକୁ ବିରୋଧ କରି ଆଇନଜୀବୀମାନେ ଗତ ମାସ ୧୭ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଜି ଏହି ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ହାଇକୋର୍ଟ ବାର୍ ଆସୋସିଏସନର ଏକ ପ୍ରତିନିଧି ଦଳ ରାଜ୍ୟପାଳ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିନୀତ୍ ଶରନ୍, କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଭେଟି ସେମାନଙ୍କର ଦାବି ସଂକ୍ରାନ୍ତରେ ଅବଗତ କରି ସାରିଛନ୍ତି।

କିନ୍ତୁ ସୁପ୍ରିମକୋର୍ଟ କଲେଜିୟମ୍ ନିଷ୍ପତ୍ତି ଜଣାପଡିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ହାଇକୋର୍ଟ ବାର୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ କୁମାର ଦାଶଙ୍କ ସମେତ ଯୁଗ୍ମ ସମ୍ପାଦକ ଯତେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment