ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ ସଂସଦରେ ଉପସ୍ଥାପିତ ହୋଇଛି। ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବଜେଟକୁ ଉପସ୍ଥାପନ କରିଥିଲେ। ମୋଦି ସରକାର ଯେଉଁ ଜନାଦେଶ ପାଇଥିଲେ ତାହାକୁ ଆଖିରେ ରଖି ସୀତାରମଣ ଦୁଇଟି ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଦୁଇଟି ହେଲା ରାଷ୍ଟ୍ରୀୟ ସୁରକ୍ଷା ଓ ଆର୍ଥିକ ଅଭିବୃଦ୍ଧି। ଅର୍ଥମନ୍ତ୍ରୀ କହିଲେ ଯେ ଆମେ ଚାହୁଁଛୁ ଦେଶରେ ଏକ ମଜବୁତ ସରକାର ଓ ମଜବୁତ ନାଗରିକ। ଆସନ୍ତୁ ଦେଖିବା କ’ଣ ରହିଛି ଏହି ବଜେଟରେ:

ଆର୍ଥିକ ବିକାଶ ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି। ତାଙ୍କ ସରକାର ଏବେ ‘ରିଫର୍ମ,ଟ୍ରାନ୍ସଫର୍ମ ଓ ପରଫର୍ମ’ ଉପରେ ଧ୍ୟାନ ଦେବେ। ସେ କହିଲେ ଯେ ନିର୍ବାଚନରେ ମହିଳା ଓ ଯୁବକ ମାନେ ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କ ସରକାରକୁ କ୍ଷମତାକୁ ଆଣିଥିବା ହେତୁ ଏହି ବର୍ଗକୁ ପ୍ରାଧାନ୍ୟ ଦିଆଯିବ।

ସୀତାରମଣ ବଜେଟ ଉପସ୍ଥାପନ ବେଳେ କହିଲେ ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଚଳିତ ବର୍ଷ ଶେଷ ବେଳକୁ ଭାରତୀୟ ଅର୍ଥନୀତି ୩ ଟ୍ରିଲିୟନ ଛୁଇଁଥିବ ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ଫେସିଲିଟେସନ ସେଣ୍ଟର ମାନ ଖୋଲାଯିବ।

ରେଳର ଉନ୍ନତି ପାଇଁ ସରକାର ବିପୁଳ ଖର୍ଚ୍ଚ  କରିବେ। ରେଳ ଭିତ୍ତିଭୂମି ବିକାଶ ପାଇଁ ୫୦ ଲକ୍ଷ କୋଟିର ଯୋଜନା ପ୍ରସ୍ତୁତ କରାଯିବ। ସେ କହିଲେ ଯେ ସାଗରମାଳା, ଭାରତମାଳା ଓ ଉଡାନ ଆଦିରୁ ଲୋକଙ୍କୁ ବ୍ୟାପକ ସୁବିଧା ସୁଯୋଗ ମିଳିବ। ବିଦ୍ୟୁତ ବାହନର ଅଭିବୃଦ୍ଧି ପାଇଁ ସରକାର ଦୃଷ୍ଟି ଦେବେ। ପିପିପି ମୋଡ଼ରେ ଆସନ୍ତା ୧୨ ବର୍ଷ ମଧ୍ୟରେ ରେଳ ବିଭାଗ ପାଇଁ ୫୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଦେଶର ତିନି କୋଟି ଖୁଚୁରା ଦୋକାନୀମାନଙ୍କୁ ପେନ୍‌ସନ ଦେବା ପାଇଁ ବଜେଟରେ ଘୋଷଣା କରାଯାଇଛି। ଏହି ପେନସନ ପାଇଁ ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରାଯିବ ପାଇଁ ସେ କହିଛନ୍ତି। ଦେଢ଼ କୋଟି ବାର୍ଷିକ କାରବାର କରୁଥିବା ଦୋକାନୀଙ୍କୁ ମଧ୍ୟ ପେନସନ ମିଳିବ।

ବଜେଟରେ ସୀତାରମନ ଘୋଷଣା କରିଛନ୍ତି ଯେ ସରକାର ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବେ। ସିଙ୍ଗଲ ବ୍ରାଣ୍ଡ ରିଟେଲରେ ବିଦେଶୀ ପୁଞ୍ଜି ବଢିବ। ମିଡିଆରେ ମଧ୍ୟ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଅନୁମତି ମିଳିବ।

ସ୍ୱଚ୍ଛତା ଓ ଗ୍ରାମାଞ୍ଚଳ ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି। ଦେଶର ପ୍ରାୟ ୫ ଲକ୍ଷ ଗ୍ରାମ ଖୋଲା ମଳ ପରିତ୍ୟାଗରୁ ମୁକ୍ତ ହୋଇ ଥିବା ବେଳେ ୨୦୧୪ ପରଠାରୁ ଦେଶରେ ୯ କୋଟିରୁ ଅଧିକ ଶୌଚାଳୟ ତିଆରି କରାଯାଇଛି। ସର୍କାର ସ୍ଵଛ ଭାରତ ମିଶନର ବିସ୍ତାର ପାଇଁ ପ୍ରତିଶୃତି ବଦ୍ଧ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଛନ୍ତି।

Comment