ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧.୯୫ କୋଟି ଘର ନିର୍ମାଣର ଲକ୍ଷ୍ୟ
  • ୫ ବର୍ଷରେ ୧.୨୫ ଲକ୍ଷ କିଲୋମିଟର ରାସ୍ତା ନିର୍ମାଣ ହେବ
  • ୨୦୨୨ ସୁଦ୍ଧା ସବୁ ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ୍‌

‘‘୨୦୨୨ ସୁଦ୍ଧା ସମସ୍ତଙ୍କୁ ମିଳିବ ଘର। ୨୦୨୨ ସୁଦ୍ଧା ଦେଶରେ ୧.୯୫ କୋଟି ଘର ନିର୍ମାଣ କରାଯିବ’’, ବଜେଟ ଉପସ୍ଥାପନ ବେଳେ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

୨୦୯-୨୦ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟରେ ଗ୍ରାମାଞ୍ଚଳର ବିକାଶକୁ ଗୁରୁତ୍ୱ ଦିଆଯାଇଛି।

ନିର୍ମଳା କହିଥିଲେ, ‘‘ଗାନ୍ଧିଜୀ କହିଥିଲେ ଯେ ଭାରତର ଆତ୍ମା ଗାଁରେ ଅଛି। ଏଣୁ ଆମ ସରକାର ଗାଁର ବିକାଶକୁ ଗୁରୁତ୍ୱ ଦେଉଛନ୍ତି।’’

ପୂର୍ବରୁ ଘର ନିର୍ମାଣ ପାଇଁ ୩୧୪ ଦିନର ଲକ୍ଷ୍ୟ ଧାର୍ଯ୍ୟ କରାଯାଉଥିଲା। କିନ୍ତୁ ଏବେ ଅବଧି ହ୍ରାସ କରାଯାଇଛି। ୧୧୪ ଦିନରେ ଗୋଟିଏ ଘର ନିର୍ମାଣ କରାଯିବ ବୋଲି ନିର୍ମଳା କହିଛନ୍ତି।

ଆଗାମୀ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ୧.୨୫ ଲକ୍ଷ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୮୦ ହଜାର ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସେହିପରି ୨୦୨୨ ସୁଦ୍ଧା ସବୁ ଘରକୁ ବିଜୁଳି ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ଆଜି ବଜେଟ ଉପସ୍ଥାପନ ବେଳେ କହିଛନ୍ତି ନିର୍ମଳା ସୀତାରମଣ।

ବର୍ତ୍ତମାନ ସୁଦ୍ଧା ୨୬ ଲକ୍ଷ ଘର ନିର୍ମାଣ ଶେଷ ହୋଇଛି। ଆଉ ୨୪ ଲକ୍ଷ ଲୋକଙ୍କୁ ଘର ନିର୍ମାଣ ପାଇଁ ଟଙ୍କା ଦିଆଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ଏଲ୍ଇଡି ବଲ୍‌ବ ବଣ୍ଟନ ଉପରେ ନିର୍ମଳା କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୩୫ କୋଟି ଏଲ୍‌ଇଡି ବଲ୍‌ବ ବଣ୍ଟନ କରାଯାଇଛି। ଏହି ବାବଦରେ ୧୮ ହଜାର ୩୪୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Comment