ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୦୨୪ ସୁଦ୍ଧା ଦେଶର ସବୁ ଗ୍ରାମୀଣ ଘରକୁ ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ଏଥିପାଇଁ କେନ୍ଦ୍ରରେ ଗଠନ ହେଲା ‘ଜଳଶକ୍ତି ମନ୍ତ୍ରାଳୟ’। ଶୁକ୍ରବାର ସଂସଦରେ ବଜେଟ୍‌ ଉପସ୍ଥାପନା ବେଳେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ପାନୀୟ ଜଳ ଉପରେ ବିଶେଷ ଭାବେ ଫୋକସ କରିଛନ୍ତି। ଦେଶରେ ବିଶୁଦ୍ଧ ପିଇବା ପାଣିର ସମସ୍ୟା ଏବଂ ଜଳ ସଞ୍ଚୟକୁ ଗୁରୁତ୍ୱ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ଜଳଶକ୍ତି ମନ୍ତ୍ରାଳୟ’ ନାମରେ ଏକ ନୂଆ ମନ୍ତ୍ରାଳୟ ଗଠନର ଘୋଷଣା କରିଛନ୍ତି।

‘ଜଳଶକ୍ତି ମନ୍ତ୍ରାଳୟ’ ପକ୍ଷରୁ ଆରମ୍ଭ ହୋଇଥିବା ‘ଜଳ ଜୀବନ ମିଶନ’ ଜରିଆରେ ଆଗାମୀ ୨୦୨୪ ସୁଦ୍ଧା ଦେଶରେ ସବୁ ଘରକୁ ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ସଂସଦରେ ‘ହର ଘର ଜଳ’ ନାରା ନିର୍ମଳା ସୀତାରମଣ ଏହା ଘୋଷଣା କରିଛନ୍ତି। ଦେଶର ସମସ୍ତ ରାଜ୍ୟ ସହ ମିଶି କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ମିଶି ଏଦିଗରେ କାମ କରିବ।

Comment