ଓଡ଼ିଶାଲାଇଭ ବ୍ୟୁରୋ

କଣ୍ଟାବାଂଝି, ବୌଦ୍ଧ ଓ ପୋଲସରା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ନେଇ ହାଇକୋର୍ଟରେ ତିନୋଟି ଅଲଗା ଅଲଗା ନିର୍ବାଚନୀ ମାମଲା ଦାୟର ହୋଇଛି। ଏହି ତିନୋଟି ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରିବାକୁ ଅଭିଯୋଗ ହୋଇଛି।

କଣ୍ଟାବାଂଝି ଆସନରୁ ୧୨୮ ଖଣ୍ଡ ଭୋଟରେ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଦାୟର କରିଥିବା ମୋକଦ୍ଦମାରେ ଦର୍ଶାଇଛନ୍ତି ଯେ, ନିର୍ବାଚନରେ ୧ଲକ୍ଷ ୮୨ହଜାର ୪୧୧ ମତଦାନ ହୋଇଥିବା ବେଳେ ଇଭିଏମରୁ ଆଉ ଅଧିକ ୮ହଜାର ୬୬୬ଟି ଭୋଟ ମିଳିଥିଲା। ଭୋଟ ଗଣତିରେ ଭୁଲ ଦର୍ଶାଇ ସେ ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରିବାକୁ ଅଭିଯୋଗ କରିଛନ୍ତି।

ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳିର ପରାଜିତ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଆହୁରି ୫ହଜାର ଭୋଟ ଗଣତି କରାଯାଇନାହିଁ, ଭୋଟ ଗଣତିରେ ଭୁଲ ଦର୍ଶାଇ ସେ ଏହି ଅଭିଯୋଗ କରିଛନ୍ତି।

ଅନ୍ୟ ଏକ ମାମଲାରେ ପୋଲସରା ନିର୍ବାଚନ ମଣ୍ଡଳୀରେ ପରାଜିତ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି। ଶ୍ରୀକାନ୍ତ ସାହୁଙ୍କ ସତ୍ୟପାଠ ସମୟରେ ଦିଆଯାଇଥିବା ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଭୁଲ ବୋଲି ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତିରେ ନିର୍ବାଚନୀ ଫଳାଫଳକୁ ଅସିଦ୍ଧ ଘୋଷଣା କରିବାକୁ ଅଭିଯୋଗକାରୀମାନେ ଦର୍ଶାଇଛନ୍ତି।

ଏହାପୂର୍ବରୁ କଟକ-ବାରବାଟୀ ବିଜେଡି ପ୍ରାର୍ଥୀ ତାଙ୍କ ପ୍ରତିଦ୍ଵନ୍ଦୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ଫେରାଦ ହୋଇଥିଲେ। ସତ୍ୟପାଠ ସମୟରେ ମୋକିମ ଦେଇଥିବା ତଥ୍ୟ ଭୁଲ ବୋଲି ଦର୍ଶାଇ ସେ ଏହି ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here