ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ଘଟଣା ଆକସ୍ମିକ ଭାବରେ ଘଟିଥାଏ। ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତି ସାମାନ୍ୟରୁ ଗୁରୁତର ଆହତ ହୋଇପାରନ୍ତି। ସାଧାରଣ ମଣିଷ ଭାବରେ ଆମ୍ଭେମାନେ ଦୁର୍ଘଟଣାର ସମ୍ମୁଖୀନ ହେଲେ କାତର ହୋଇପଡ଼ୁ। କିନ୍ତୁ ଏହି ସମୟରେ ସାମାନ୍ୟ ଧୈର୍ଯ୍ୟର ସହ କାର୍ଯ୍ୟ କଲେ ଆମେ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରିବା।
ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସା ପ୍ରଦାନ ନିମନ୍ତେ ୧୦ଟି ସୂଚନା:
୧. ପ୍ରଥମତଃ ଦୁର୍ଘଟଣା ସ୍ଥଳରୁ ଉକ୍ତ ବ୍ୟକ୍ତିଙ୍କୁ ବାହାର କରିଆଣନ୍ତୁ।
୨. ନିଃଶ୍ୱାସ ପ୍ରଶ୍ୱାସ ଚାଲୁଛି କି ନା ପ୍ରଥମେ ଦେଖନ୍ତୁ।
୩. ବ୍ୟକ୍ତିଙ୍କର ଚେତା ଅଛି କି ନା ଦେଖନ୍ତୁ। ଯଦି ବ୍ୟକ୍ତିଙ୍କର ଚେତା ନାହିଁ ତେବେ ତାଙ୍କୁ ବାମକଡ଼ ମାଡ଼ି ଶୁଆଇ ଦିଅନ୍ତୁ।
୪. ଶ୍ୱାସ ମାର୍ଗ ଅବରୋଧ ହୋଇଥିଲେ ଯେପରିକି ପାଟି ଭିତରେ କୌଣସି ଜିନିଷ ରହିଯାଇଥିଲେ ବାହାର କରିଦିଅନ୍ତୁ। ପାଟି ଭିତର ପୋଛି ଦିଅନ୍ତୁ।
୫. ମୁକ୍ତ ବାୟୁ ଚଳାଚଳ ହେଉଥିବା ସ୍ଥାନରେ ରଖନ୍ତୁ। ଜନଗହଳି ଏଡାନ୍ତୁ।
୬. ଯଦି କୌଣସି ସ୍ଥାନରୁ ରକ୍ତସ୍ରାବ ହେଉଥାଏ ତୁରନ୍ତ ଚାପ ଦେଇ କପଡ଼ା, ଗାମୁଛା, ଚୁନି, ଯାହା ମିଳେ ବ୍ୟବହାର କରି ରକ୍ତସ୍ରାବ ହେବା ଅଟକାନ୍ତୁ। ଏହା ଦ୍ୱାରା ରକ୍ତ କ୍ଷୟ ଜନିତ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରେ।
୭. ଯଦି ବ୍ୟକ୍ତିଙ୍କର ଚେତା ନାହିଁ, ବା ଗୁରୁତର ଆଘାତ ଲାଗିଛି ତେବେ ବ୍ୟକ୍ତିଙ୍କୁ କିଛି ଖାଇବାକୁ ବା ପିଇବାକୁ ଦିଅନ୍ତୁ ନାହିଁ।
୮. ହାତ ଗୋଡ଼ ଭାଙ୍ଗି ଯାଇଥିବାର ସନ୍ଦେହ ହେଉଥିଲେ ତାଙ୍କୁ ସ୍ଥିର ରଖନ୍ତୁ। ଏପଟସେପଟ କରନ୍ତୁ ନାହିଁ।
୯. ତୁରନ୍ତ ୧୦୨ ଡାଏଲ୍‌ କରି ଆମ୍ବୁଲାନ୍ସକୁ ଏବଂ ୧୦୦ ଡାଏଲ୍‌ କରି ପୋଲିସକୁ କଲ୍ କରନ୍ତୁ।
୧୦. ଯଦି ସମ୍ଭବ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେବା ବ୍ୟବସ୍ଥା କରନ୍ତୁ।

Comment