ଓଡ଼ିଶାଲାଇଭ ବ୍ୟୁରୋ

ଏମିତି ବି ଆସେ ମୃତ୍ୟୁ। ଡାକ୍ତରଖାନାରେ ଡାଏଲିସିସ ଚାଲିଥିଲା ବେଳେ ବିଦ୍ୟୁତ କଟିଯିବା ସହିତ ଜେନେରେଟର ନଚାଲିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।

ମୃତ ବ୍ୟକ୍ତି ଜଣକ ହେଲେ ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ମହୁଲିଆ ଗାଁର ଗଙ୍ଗାଧର ସ୍ୱାଇଁ। ବିଦ୍ୟୁତ୍ ସଂଯୋଗ କଟି ଯାଇଥିବାରୁ ଅଧା ଡାଏଲିସିସ୍ ହୋଇଥିବା ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ପ୍ରତିମା ସ୍ୱାଇଁ।

ପ୍ରତିମାଙ୍କ କହିବା ଅନୁସାରେ କିଡନୀ ଜନିତ ରୋଗରେ ପୀଡ଼ିତ ଗଙ୍ଗାଧରଙ୍କୁ ଡାଏଲିସିସ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଟିକେଟ୍ କରିବା ପରେ ଗଙ୍ଗାଧରଙ୍କୁ ଡାଏଲିସିସ୍ କେନ୍ଦ୍ରକୁ ନିଆ ଯାଇଥିଲା।

ସେତେବେଳେ ଡାଏଲିସିସ୍ କେନ୍ଦ୍ରରେ ପାଞ୍ଚ ଜଣ ରୋଗୀ ଥିଲେ। ଗଙ୍ଗାଧରଙ୍କୁ ୪ ନମ୍ବର ବେଡରେ ଡାଏଲିସିସ୍ ପାଇଁ ରଖାଯାଇଥିଲା।

ତିନି ଜଣଙ୍କ ରୋଗୀଙ୍କ ଡାଏଲିସିସ୍ ଆରମ୍ଭ ହେବା ପରେ ଗଙ୍ଗାଧରଙ୍କ ଡାଏଲିସିସ୍ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ପାଖାପାଖି ପାଞ୍ଚରୁ ସାତ ମିନିଟ୍ ଡାଏଲିସିସ୍ କରାଯାଇଥିବା ବେଳେ ହଠାତ୍ ବିଦ୍ୟୁତ୍ ଚାଲିଯାଇଥିଲା।

ବିଦ୍ୟୁତ୍ କଟିଯିବା ପରେ ଜେନେରେଟର ଅପରେଟର (ବିଦ୍ୟୁତ କର୍ମଚାରୀ)ଙ୍କୁ ତୁରନ୍ତ ଡକାଯାଇଥିଲେ ମଧ୍ୟ ତାଙ୍କର ଦେଖା ମିଳିନଥିଲା। ଏହା ପରେ ଜଣେ ଝାଡ଼ୁଦାର ଆସି ଜେନେରେଟର ଷ୍ଟାର୍ଟ କରିଥିଲେ ମଧ୍ୟ ଜେନେରେଟର ଚାଲି ନଥିଲା।

ମେଡିକାଲ ମ୍ୟାନେଜରଙ୍କ ପାଖକୁ କଥା ଯାଇଥିଲେ ମଧ୍ୟ ଜେନେରେଟର ଚଳାଯାଇ ପାରିନଥିଲା। ଫଳରେ ଅଧା ଡାଏଲିସିସ୍ ହୋଇଥିବା ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଥିଲା।

ଡାଏଲିସିସ୍ ସମୟରେ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଓ ଜେନେରେଟର ଅଚଳ ଥିବା କଥା ସ୍ୱୀକାର କରିଛନ୍ତି  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ହେଲେ  ରୋଗୀ ଜଣକ ଗୁରୁତର ଥିବାରୁ ତାଙ୍କର ମୃତ୍ୟୁ ଘଟିଛି ଏବଂ ଡାଏଲିସିସ୍ ଅଧାରୁ ବନ୍ଦ ହେବା ସହିତ ମୃତ୍ୟୁର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।

Comment