ଓଡ଼ିଶାଲାଇଭ ବ୍ୟୁରୋ

  • ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’
  • ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ କାର୍ଯ୍ୟକ୍ରମ
  • ୧୦ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ
  • ଓଡ଼ିଶାଲାଇଭ୍‌ ୟୁଟ୍ୟୁବ ଚ୍ୟାନେଲରେ ‘ଗୁହାରି’ର ସିଧାପ୍ରସାରଣ

ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ସୋମବାରଠାରୁ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ ଆରମ୍ଭ ହୋଇଛି। ଏହା ୧୦ ତାରିଖ ଯାଏଁ ଚାଲିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଏହି ଭକ୍ତି ସଙ୍ଗୀତ ସମାରୋହ ଚାଲୁଛି।

ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା। ୯ ଓ ୧୦ ତାରିଖରେ ମଧ୍ୟ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ।

ସୋମବାର ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ୍, ବିଷ୍ଣୁମୋହନ କବି, ଗୀତା ଦାସ, ସତ୍ୟବ୍ରତ କାଠ, ଯଶସ୍ୱିନୀ ନାୟକ, ଦୁଃଖୀଶ୍ୟାମ ତ୍ରିପାଠୀ, ଶାନ୍ତିଲତା ବାରିକ (ଛୋଟରାୟ), ଡକ୍ଟର ମିତାଲୀ ଚିନ୍ନାରା, ବିବେକ ରାଉତ ଏବଂ ଝୁମକି ରଥ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ।

ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତିଭାବ ଭରା ଭଜନ ପରିବେଷଣରେ ରବୀନ୍ଦ୍ର ମଣ୍ଡପ ପରିସର ଉଛୁଳି ପଡ଼ିଥିଲା। ଶ୍ରୋତାମାନଙ୍କୁ ଏହି ଭଜନ ମନ୍ତ୍ରମୁଗ୍ଧ କରିଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ଗତ କିଛି ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଶ୍ରୀଗୁଣ୍ଡିଚାରୁ ବାହୁଡ଼ା ମଧ୍ୟରେ, ରଥଯାତ୍ରାର ପବିତ୍ର ଅବସରରେ ଏହାର ଆୟୋଜନ କରାଯାଉଛି।

୯ ତାରିଖ ଦିନ ପରିଚିତ କଣ୍ଠଶିଳ୍ପୀ ହରପ୍ରିୟା ସ୍ୱାଇଁ, ବିଜୟ ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ, ଗୋପାଳକୃଷ୍ଣ ସାହୁ, ଶୈଳଭାମା ମହାପାତ୍ର, ରଘୁନାଥ ପାତ୍ର, ସୁର ସରିତା ରାଉତ, ମୋତିଲାଲ୍ ଦୋରା, ସୁଭଦ୍ରା ଶୁଭଦର୍ଶିନୀ ଏବଂ ସୁକାନ୍ତ କୁମାର କୁଣ୍ଡୁ ଭଜନ ପରିବେଷଣ କରିବେ।

ସେହିପରି ଶେଷ ଦିନ ଅର୍ଥାତ ୧୦ ତାରିଖରେ ମହାପ୍ରସାଦ କର, ଲତା ଘୋଷ, ନାରାୟଣ ସାହୁ, ସ୍ୱାଗତିକା ପାଣିଗ୍ରାହୀ, ପଙ୍କଜ ଜାଲ୍, ଅର୍ଚ୍ଚନା ଜେନା, ଦେବାଶିଷ୍ ମହାପାତ୍ର, ମୋନାଲିସା ରାଉତ, ଭିକାରି ମହମ୍ମଦ ଏବଂ ଇରା ମହାନ୍ତି ଭଜନ ପରିବେଷଣ କରିବେ।

‘‘ଓଡ଼ିଶାର ସଙ୍ଗୀତ ପରମ୍ପରା ଭିତରେ ଶ୍ରୀଜଗନ୍ନାଥଙ୍କ ଭଜନ ଓ ଜଣାଣ ବେଶ୍ ଗୁରୁତ୍ୱ ବହନ କରେ। ତେଣୁ ଭକ୍ତି ସଙ୍ଗୀତର ଏହି ଅପୂର୍ବ ଧାରା ଭିତରେ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ପ୍ରାଚୀନ ରଚନା ହେଉ କିମ୍ବା ଆଧୁନିକ ଗୀତି-ସାହିତ୍ୟ ଶ୍ରୋତାମାନଙ୍କୁ ସବୁବେଳେ ଆକର୍ଷିତ କରିଆସିଛି। ବିଶେଷକରି ପବିତ୍ର ରଥଯାତ୍ରା ସମୟରେ ସେହି ଭକ୍ତି ସଙ୍ଗୀତ ପରମ୍ପରାକୁ ତାଜା କରିବା ପାଇଁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଗତ କିଛି ବର୍ଷ ଧରି ଏହି ଉଦ୍ୟମ କରାଯାଉଛି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ତଥା ଜଣାଶୁଣା ଓଡ଼ିଶୀ ସଙ୍ଗୀତ ଶିଳ୍ପୀ ପ୍ରଫେସର ସଙ୍ଗୀତା ଗୋସାଇଁ।

ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ତିନିଦିନିଆ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଉଛି। ଫଳରେ ଜଗନ୍ନାଥ ସଂସ୍କୃତିର ଏହି ବିଶେଷ ଦିଗ ଦେଶ ବିଦେଶରେ ଥିବା ଦର୍ଶକ ଓ ଶ୍ରୋତାଙ୍କ ପାଖରେ ପହଞ୍ଚିପାରିବ ବୋଲି ଓଡ଼ିଶାଲାଇଭ୍‌ର ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି।

Comment