ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଜୁଲାଇ ୨୦ରେ ହେବ ଭୋଟ। ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ପାଟକୁରାର ରାଜନୀତି ମଇଦାନ ସରଗରମ ହୋଇ ଉଠିଛି। ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି ନବୀନ ନିବାସରେ ବସିଥିଲା ବୈଠକ।

ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜା ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ ଏବଂ ସୁଶାନ୍ତ ସିଂହ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ଏହାସହ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ୱାଲ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ଶେଷରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତି କୌଣସି ଚ୍ୟାଲେଞ୍ଜ ନଥିବା ନେଇ କହିଛନ୍ତି ତାଙ୍କ ପୁଅ ସଞ୍ଜୟ ଅଗ୍ରୱାଲ।

ସଞ୍ଜୟ କହିଛନ୍ତି, ‘ଗରଦପୁର ଓ ମର୍ଶାଘାଇ ବ୍ଲକ୍ ବାବଦରେ ଆଲୋଚନା ହୋଇଥିଲା। ମର୍ଶାଘାଇ ପାଇଁ ଅତନୁ ଓ ଗରଦପୁର ପାଇଁ ରଣେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଦଳରେ କୌଣସି ପ୍ରକାର ଅସନ୍ତୋଷ ନାହିଁ। ପାଟକୁରାରେ ବିଜେଡି ନିଶ୍ଚିତ ବାଜିମାତ୍ କରିବ।’’

ଦୁଇ ଦୁଇ ଥର ନିର୍ବାଚନ ସ୍ଥଗିତ ହେବା ପରେ ଆସନ୍ତା ୨୦ ତାରିଖରେ ପାଟକୁରାରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ଜାରି କରିଥିଲେ ନିର୍ବାଚନ କମିଶନ। ଜୁଲାଇ ୨୦ରେ ପାଟକୁରାରେ ଭୋଟ୍‌ଗ୍ରହଣ ହୋଇ ୨୪ରେ ଏହାର ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ଏବେ ଆକ୍ସନ୍ ମୋଡ୍‌ରେ ତିନି ଦଳ।

ତାରିଖ ଘୋଷଣା ହେବା ପରେ ପାଟକୁରା ନିର୍ବାଚନୀ ମଇଦାନ ଏବେ ଚଳଚଞ୍ଚଳ ହୋଇ ଉଠିଛି। ବିଜେପି ଏବଂ ବିଜେଡି ପ୍ରାର୍ଥୀ କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି। ତେବେ ବିଜୟ ଏବଂ ସାବିତ୍ରୀଙ୍କ ଭିତରୁ କିଏ ପାଟକୁରାବାସୀଙ୍କ ପ୍ରିୟଭାଜନ ହୋଇ ପାରୁଛନ୍ତି ତାହା ଭୋଟ ଫଳାଫଳ ପରେ ହିଁ ଜଣାପଡ଼ିବ।

Comment