ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟରେ ‘ଦାଦା’ ନାମରେ ବେଶ ଲୋକପ୍ରିୟ ଖେଳାଳି ସୌରଭ ଗାଙ୍ଗୁଲିଙ୍କ ଆଜି ୪୭ତମ ଜନ୍ମ ଦିବସ। ଭାରତୀୟ ଦଳର ଜଣେ ସଫଳ କ୍ୟାପଟେନ ଭାବେ ଅନେକ ସୁନାମ ଅର୍ଜନ କରିଛନ୍ତି। ସେ ଦଳକୁ ବିଦେଶରେ ମ୍ୟାଚ ଜିତାଇବା ମଧ୍ୟ ଶିଖାଇଛନ୍ତି। ତାଙ୍କ ଜନ୍ମ ଦିନରେ ଆଜି ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି। ସେହିପରି ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହଓ୍ଵାଗ ଟ୍ଵିଟରରେ ମଜାଳିଆ ଢଙ୍ଗରେ ତାଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି। ସେହଓ୍ଵାଗଙ୍କୁ ଓପନ କରିବାରେ ଗାଙ୍ଗୁଲିଙ୍ଗ ପ୍ରମୁଖ ଭୂମିକା ରହିଥିଲା।

ସୌରଭ ଗାଙ୍ଗୁଲିଙ୍କ ଜନ୍ମ ୮ ଜୁଲାଇ ୧୯୭୨ ମସିହା କୋଲକତାରେ ହୋଇଥିଲା। ୧୨ ବର୍ଷର ଲମ୍ଵା କ୍ରିକେଟ କ୍ୟାରିୟରରେ ୫ବର୍ଷ ସେ ଭାରତୀୟ ଦଳର ଅଧିନାୟକ ରହିଥିଲେ। ବିଦେଶୀ ମାଟିରେ ଦଳକୁ ବିଜୟୀ କରାଇ ଘରୋଇ ମାଟିରେ ଜିତୁଥିବା ଦଳ କହି ସମାଲୋଚିତ କରୁଥିବା ଲୋକଙ୍କୁ ଚୁପ କରାଇଥିଲେ। ଦଳ ତାଙ୍କ ଅଧିନାୟକତ୍ଵରେ ୨୦୦୩ ବିଶ୍ଵକପ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲା।

୨୦୦୨ରେ ନେଟବେଷ୍ଟ ଟ୍ରଫି ଫାଇନାଲରେ ଇଂଲଣ୍ଡକୁ ଭାରତ ହରାଇବା ପରେ ଲଡ୍ସ ବାଲକୁନିରେ ନିଜ ଟି-ସାର୍ଟ ଖୋଲି ବିଜୟ ଉତ୍ସବ ମନାଇଥିଲେ ଗାଙ୍ଗୁଲି। ଏହି ମ୍ୟାଚରେ ଗାଙ୍ଗୁଲିଙ୍କ ଖୁସି ସ୍ମରଣୀୟ ହୋଇ ରହିଛି।

 ଏହି ବାମ ହାତୀ ବ୍ୟାଟ୍ସମ୍ୟାନ ୨୦ ଜୁନ ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ନିଜ ଅନ୍ତରାଷ୍ଟ୍ରିୟ କ୍ୟାରିୟର ଆରମ୍ଭ କରିଥିଲେ। ଭାରତ ପକ୍ଷରୁ ସେ ୩୧୧ଟି ଦିନିକିଆ ଖେଳି ୧୧,୩୬୩ ରନ କରିଥିଲେ ଏଥିରେ ୨୨ଟି ଶତକ ଓ ୭୨ଟି ଅର୍ଦ୍ଧଶତକ ମଧ୍ୟ ରହିଛି। ଟେଷ୍ଟରେ ୧୧୩ଟି ମ୍ୟାଚ ଖେଳି ଗୋଟିଏ ଦ୍ଵିଶତକ, ୧୬ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ବଳରେ ସେ ୭,୨୧୨ ରନ କରିଥିଲେ। ସେହିପରି ଆଇପିଏଲ କ୍ୟାରିୟରରେ ଗାଙ୍ଗୁଲି ୫୯ ମ୍ୟାଚରୁ ୭ଟି ଅର୍ଦ୍ଧଶତକ ମାଧ୍ୟମରେ ୧୩୪୯ ରନ କରିଛନ୍ତି।

Comment