ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

କର୍ଣ୍ଣାଟକ ପଲିଟିକାଲ ଡ୍ରାମା – ସଙ୍କଟରେ କୁମାରସ୍ୱାମୀ ସରକାର

ଉଠୁଛି ପଡୁଛି କର୍ଣ୍ଣାଟକ ରାଜନୀତି। ଗତ ଦୁଇ ଦିନ ତଳେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୧ ବିଧାୟକ ଇସ୍ତଫା ଦେବା ପରେ ଆଜି ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଫଳରେ କୁମାରସ୍ୱାମୀଙ୍କ ସରକାର ସଙ୍କଟରେ ପଡ଼ିଛି। ହେଲେ ସରକାର ପ୍ରତି କୌଣସି ସଙ୍କଟ ନଥିବା କୁମାରସ୍ୱାମୀ କହିଛନ୍ତି। ପୁଣି ଥରେ ମନ୍ତ୍ରିମଣ୍ଡଳ ଗଠନ ହେବ ବୋଲି କହିଛନ୍ତି କୁମାରସ୍ୱାମୀ।

ବିଜେଡିର ‘ପାଟକୁରା’ ଚିନ୍ତା – ନବୀନ ନିବାସରେ ମାନସ ମନ୍ଥନ

ବିଜେଡି କେମିତି ଜିତିବ ପାଟକୁରା ନିର୍ବାଚନ? ନିର୍ବାଚନ ମଇଦାନରେ ବିଜେପିକୁ କେମିତି ଚେକ୍‌ମେଟ୍ ଦେବ? ଏହାକୁ ନେଇ ବିଜେଡି ଆଜି ନବୀନ ନିବାସରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନେତାଙ୍କ ସମେତ ରାଜ୍ୟ ବିଜେଡିର ନେତାଙ୍କୁ ନେଇ ନବୀନ ନିବାସରେ ଆଜି ବସିଥିବା ବୈଠକରେ ନିଜେ ନବୀନ ପଟ୍ଟନାୟକ ଉପସ୍ଥିତ ରହି ପାଟକୁରା ଜିତିବାକୁ ମନ୍ତ୍ର ଫୁଙ୍କିଛନ୍ତି।

ବିଧାୟକ ସାରଦା ନାୟକ ଓ ରମେଶ ଜେନାଙ୍କ ନାଁରେ ମାମଲା

ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା। ନିର୍ବାଚନୀ ସତ୍ୟପାଠ ଏବଂ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଏହି ଦୁଇ ବିଧାୟକଙ୍କ ନାଁରେ ମାମଲା ଦାୟର କରିଛନ୍ତି ପ୍ରତୀପକ୍ଷ ପରାଜିତ ପ୍ରାର୍ଥୀ।

ଯଦି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌ରେ ବର୍ଷା ହୁଏ!

ଆସନ୍ତାକାଲି ଦିନ ୩ଟା ବେଳେ ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ। ଏହାରି ଭିତରେ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଦୁଃଖ ଖବର। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମଙ୍ଗଳବାର ଏହି ମ୍ୟାଚ୍‌ରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କ’ଣ ହେବ, ଯଦି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ହୁଏ?

ସରକାରଙ୍କ ଦୁର୍ଘଟଣା ପ୍ୟାକେଜ – ଆହତଙ୍କୁ ୫୦ ହଜାର, ମୃତକଙ୍କୁ ୨ ଲକ୍ଷ

ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଅନେକ ଲୋକ ଆହତ ଏବଂ ମୃତ୍ୟୁ ମୁଖରେ ପଡୁଛନ୍ତି। ଆହତଙ୍କ  ଚିକିତ୍ସା ଏବଂ ପ୍ରାଣ ହରାଉଥିବା ଲୋକଙ୍କ ପରିବାରବର୍ଗକୁ ସହାୟତା ରାଶି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଗାଡ଼ି ଧକ୍କାରେ ଆହତ କିମ୍ବା ମୃତ୍ୟୁ ହେଲେ ସରକାର ସହାୟତା ରାଶି ଦେବେ ବୋଲି ସଡ଼କ ସୁରକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।

ସିଲ୍ ହେଲା ବେଦାନ୍ତ ଜିଏପି ପ୍ଲାଣ୍ଟ

ଝାରସୁଗୁଡ଼ା ବେଦାନ୍ତ ଜିଏପି ପ୍ଲାଣ୍ଟରେ ନିଆଁ ଲଗିବା ଘଟଣା ପରେ ଆଜି ଜିଏପି ପ୍ଲାଣ୍ଟକୁ ସିଲ୍ କରାଯାଇଛି। ପ୍ଲାଣ୍ଟକୁ ଜିଲ୍ଲା ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ସହ ନିର୍ଦ୍ଦେଶକ ସିଲ୍ କରିଛନ୍ତି। ସିଲ୍ ପରେ ସମଗ୍ର କାରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଶସ୍ତା ହେଲା Nokia 6.1 ସ୍ମାର୍ଟଫୋନ!

ଶସ୍ତା ହେଲା ‘ନୋକିଆ ୬.୧’ ସ୍ମାର୍ଟଫୋନ। ବର୍ତ୍ତମାନ ଏହି ସ୍ମାର୍ଟଫୋନକୁ ଆପଣ ୬,୯୯୯ଟଙ୍କାରେ କିଣିପାରିବେ। ଅନ୍‌ଲାଇନ୍‌ ଷ୍ଟୋର ଫ୍ଲିପ୍‌କାର୍ଡରେ ମଧ୍ୟ ଏହି ଦାମ୍‌ରେ ‘ନୋକିଆ ୬.୧’ ସ୍ମାର୍ଟଫୋନ ଉପଲବ୍ଧ। ‘ନୋକିଆ ୬.୧’ ହେଉଛି ନୋକିଆ ୬ ସ୍ମାର୍ଟଫୋନର ଅପଗ୍ରେଡେଡ୍‌ ଭର୍ସନ।

ଦେଶରେ ୩୫ ପ୍ରତିଶତ ଡ୍ରାଇଭିଂ ଲାଇସେନ୍ସ ନକଲି – ଗଡ଼କରୀ

“ସାରା ଦେଶରେ ୩୫ ପ୍ରତିଶତ ଡ୍ରାଇଭିଂ ଲାଇସେନ୍ସ ନକଲି” ସଂସଦରେ ସଡ଼କ ଦୁର୍ଘଟଣା ଉପରେ ଏହା କହିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ। ଉତ୍ତର ପ୍ରଦେଶର ଆଗ୍ରା ନିକଟସ୍ଥ ଯମୁନା ଏକ୍ସପ୍ରେସ୍‌-ୱେରେ ସୋମବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ୨୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ହେଲେ ଏହି ଦୁର୍ଘଟଣାକୁ ନେଇ ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ବିଶ୍ୱକପ ଟ୍ରଫି ପ୍ରଦାନ କରିପାରନ୍ତି ସଚିନ୍!

ଚଳିତ ବିଶ୍ୱକପର ଫାଇନାଲ ଆସନ୍ତା ୧୪ତାରିଖରେ ଇଂଲଣ୍ଡର ଲର୍ଡସରେ ଖେଳାଯିବ ।ଏହି ବିଶ୍ୱକପରେ ଚାମ୍ପିଅନ୍ ଦଳକୁ ବିଶ୍ୱକପ୍ ଟ୍ରଫି ପ୍ରଦାନ କରିପାରନ୍ତି ସଚିନ୍ ତେନ୍ଦୁଲକର୍। ସଚିନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କ ନା ମଧ୍ୟରେ ଏଥିରେ ରହିଛି। ଏହାସହ ବ୍ରିଟିଶ ରାଜପରିବାରର ଯେକୌଣସି ସଦସ୍ୟ ଏହି ଟ୍ରଫି ପ୍ରଦାନ କରିବାର ସମ୍ଭାବନା ରହିଛି।

ଆଜି ପବିତ୍ର ହେରାପଞ୍ଚମୀ, ନନ୍ଦିଘୋଷ ଚକ ଭାଙ୍ଗିବେ ମହାଲକ୍ଷ୍ମୀ

ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ ସାଥୀରେ ନ ନେଇ ଗୁଣ୍ଡିଚା ଯାତ୍ରା କରିଥିବାରୁ ଲକ୍ଷ୍ମୀ ରୋଷ ପ୍ରକଟ କରିଥାନ୍ତି।  ଫେରିବା ବେଳେ ରାଗରେ ଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗିବା ପରମ୍ପରା ରହିଛି। ଗୋପନରେ ଯାଇ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଚକ ଭାଙ୍ଗିବାକୁ ସ୍ଥିର କରିଛନ୍ତି।

ପାଟକୁରା ପାଇଁ ରଣନୀତି ପ୍ରସ୍ତୁତ କଲା ବିଜେଡି

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଜୁଲାଇ ୨୦ରେ ହେବ ଭୋଟ। ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ପାଟକୁରାର ରାଜନୀତି ମଇଦାନ ସରଗରମ ହୋଇ ଉଠିଛି। ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି ନବୀନ ନିବାସରେ ବସିଥିଲା ବୈଠକ।

ପୁରୀରେ ବୋମା ମାଡ଼, ୭ ଆହତ

ରାଜନୈତିକ ଶତୃତାକୁ କେନ୍ଦ୍ର କରି ପୁରୀ କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ଟି ବୋମା ମାଡ଼ ମଧ୍ୟ ହୋଇଛି। ବୋମା ମାଡ଼ରେ ଉଭୟ ଗୋଷ୍ଠୀର ୭ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ହାପି ବାର୍ଥଡେ ‘ଦାଦା’

ଭାରତୀୟ କ୍ରିକେଟରେ ‘ଦାଦା’ ନାମରେ ବେଶ ଲୋକପ୍ରିୟ ଖେଳାଳି ସୌରଭ ଗାଙ୍ଗୁଲିଙ୍କ ଆଜି ୪୭ତମ ଜନ୍ମ ଦିବସ। ଭାରତୀୟ ଦଳର ଜଣେ ସଫଳ କ୍ୟାପଟେନ ଭାବେ ଅନେକ ସୁନାମ ଅର୍ଜନ କରିଛନ୍ତି। ସେ ଦଳକୁ ବିଦେଶରେ ମ୍ୟାଚ ଜିତାଇବା ମଧ୍ୟ ଶିଖାଇଛନ୍ତି।

ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବେ ପୁଣି ଚର୍ଚ୍ଚାରେ। ରବିବାର ଅପରାହ୍‌ଣରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ପାଦ ଧୋଇଦେଲେ।

ଉତ୍ତର ପ୍ରଦେଶରେ ପୋଲ ତଳକୁ ଖସିଲା ବସ୍: ୨୯ ମୃତ

ଉତ୍ତର ପ୍ରଦେଶର ଆଗ୍ରା ନିକଟସ୍ଥ ଯମୁନା ଏକ୍ସପ୍ରେସ୍‌ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ବସ୍‌ ନାଳକୁ ଖସି ପଡ଼ିଛି। ଏହି ଘଟଣାରେ ୨୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।

୧୧ବର୍ଷ ପରେ ପୁଣି ସେମିରେ ବିରାଟ-ଓ୍ଵିଲିୟମସନ

ମଙ୍ଗଳବାର ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ବିରାଟ କୋହଲି ଓ କେନ ଓ୍ଵିଲିୟମସନ ଏହି ଦୁଇ ଦଳର ନେତୃତ୍ଵ ନେଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଚି ଯେ, ୧୧ବର୍ଷ ତଳେ ୧୯ବର୍ଷରୁ କମ ବିଶ୍ଵକପ ସେମିଫାଇନାଲରେ ମଧ୍ୟ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ହୋଇଥିଲା ଓ ଏଥିରେ ମଧ୍ୟ ବିରାଟ ଓ ଓ୍ଵିଲିୟମସନ ଦଳର ନେତୃତ୍ଵ ନେଇଥିଲେ।

Comment