ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲିଉଡ ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ନାୟକ ଓ ଖଳନାୟକ ଭୂମିକାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ଇଚ୍ଛା ଥିଲେ ବି ନିର୍ଦ୍ଦେଶକ ହୋଇପାରିଲେନି ସିଦ୍ଧାନ୍ତ।

ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏକାଧାରରେ ଜଣେ ଅଭିନେତା ଓ ରାଜନେତା। ସେ ଉଭୟରେ ବେଶ୍ ସଫଳ ହୋଇଛନ୍ତି। ବଲିଉଡରେ ଅନେକ ସଫଳ ଅଭିନେତା ପ୍ରଯୋଜନାରେ ପ୍ରବେଶ କରିଛନ୍ତି। ଓଲିଉଡରେ ବି ହାତଗଣତି ଅଭିନେତା ଏହି କ୍ଷେତ୍ରରେ ସକ୍ରିୟ ହୋଇଛନ୍ତି ବା ଥିଲେ।

ଅଭିନେତା ଅନୁଭବ ମହାନ୍ତି ସମ୍‌ଥିଙ୍ଗ ସମ୍‌ଥିଙ୍ଗ୍, ହାତ ଧରି ଚାଲୁଥା, ଓ ମେଣ୍ଟାଲ ଆଦି ଓଡ଼ିଆ ସିନେମାର ସହପ୍ରଯୋଜନା କରିଥିଲେ। ଠିକ୍ ସେହିପରି ଅନ୍ୟତମ ଲୋକପ୍ରିୟ ନାୟକ ଅରିନ୍ଦମ୍ ରାୟ ନିଜର ପ୍ରଯୋଜନା ସଂସ୍ଥା ରତ୍ନା ଫିଲ୍ମସ ବ୍ୟାନରରେ କଳ୍‌କୀ, ଶିବ ନଟ୍ ଆଉଟ୍ ଓ ‘ପୁଣି ଥରେ ଇସ୍କ’ ଭଳି ସିନେମା ନିର୍ମାଣ କରିଛନ୍ତି। ତେଣେ ସୁପରଷ୍ଟାର ବାବୁସାନ୍ ବି ପ୍ରଯୋଜନାରେ ପାଦ ଦେଇ ‘ସୁନା ପିଲା ଟିକେ ସ୍କୃ ଢ଼ିଲା’ର ନିର୍ମାଣ କରୁଥିଲେ।

ତେବେ ଏ କ୍ଷେତ୍ରରେ ସିଦ୍ଧାନ୍ତ ମହାପାତ୍ର ପ୍ରବେଶ କରିନାହାନ୍ତି। ସେ ନିଜର ପ୍ରଯୋଜନା ସଂସ୍ଥା ଖୋଲିଥିଲେ, ଯାହାର ନାଁ ଥିଲା ସାଇ ସିଦ୍ଧାନ୍ତ ମ୍ୟୁଜିକ୍‌। ଏଥିରେ କିଛିଟା ଆଲବମ୍‌ର ଅବଶ୍ୟ ପ୍ରଯୋଜନା କରିଥିଲେ। କିନ୍ତୁ ଚଳଚ୍ଚିତ୍ର ପ୍ରଯୋଜନା କରିବାର ତାଙ୍କର ଯେଉଁ ଯୋଜନା ଥିଲା, ତାହା ଫଳବତୀ ହୋଇପାରିନାହିଁ।

ପ୍ରକାରାନ୍ତରେ କୁହାଯାଇପାରେ ଯେ, ଏହି ସ୍ୱପ୍ନ ସିଦ୍ଧାନ୍ତଙ୍କର ସାକାର ହୋଇନାହିଁ। ଓଡ଼ିଆ ସିନେ ଜଗତର ଜଣେ ଲୋକପ୍ରିୟ ଅଭିନେତା ହେଲେ ସିଦ୍ଧାନ୍ତ ମହାପାତ୍ର। ସେ ପଙ୍କଜ ପାଣିଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଶ୍ରଦ୍ଧାଞ୍ଜଳି’ରୁ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ।

‘ଶ୍ରଦ୍ଧାଞ୍ଜଳି’ ପରେ ସିଦ୍ଧାନ୍ତ ତରୁମାଲା ପିକଚର୍ସର ‘ପଥର ଖସୁଚି ବଡ଼ ଦେଉଳୁ’ରେ ନାୟକ ଭୂମିକା କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ବିଖ୍ୟାତ ଚିତ୍ର ଉତ୍ତୋଳନକାରୀ ତଥା ନିର୍ଦ୍ଦେଶକ ରାଜୁ ମିଶ୍ର। ଏହାପରେ ସିଦ୍ଧାନ୍ତ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଇତିମଧ୍ୟରେ ଓଲିଉଡରେ ୨୬ ବର୍ଷ ବିତାଇ ସାରିଲେଣି।

ଏହି ସମୟ ମଧ୍ୟରେ ସିଦ୍ଧାନ୍ତ ବହୁ ଓଡ଼ିଆ ସିନେମାରେ ନାୟକ, ଖଳନାୟକ ଓ ଚରିତ୍ର ଅଭିନେତା ଭାବେ ଅଭିନୟ କରିସାରିଲେଣି। ସିଦ୍ଧାନ୍ତ ଗୋଟିଏ ସିନେମାର କାର୍ଯ୍ୟକାରୀ ପ୍ରଯୋଜକ ବି ବନିଥିଲେ। ହଁ, ସେ ସନକ ଦେବତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପୁଅ ମୋର ଜଗତଜିତା’ରେ ପରଦା ପଛରେ ରହି ପ୍ରଯୋଜନା ସମ୍ଭାଳିଥିଲେ।

ଅବଶ୍ୟ ଏଥିରେ ସିଦ୍ଧାନ୍ତ ନାୟକ ଭାବେ ବି ପରଦା ଉପରକୁ ଆସିଥିଲେ। ତେବେ ଆପଣ ଜାଣନ୍ତି କି, ସିଦ୍ଧାନ୍ତଙ୍କ ଏକ ସ୍ୱପ୍ନ ଏ ଯାଏଁ ଅଧୁରା ରହିଯାଇଛି। କିଛି ବର୍ଷ ତଳେ ସିଦ୍ଧାନ୍ତ ମହାପାତ୍ର ନିର୍ଦ୍ଦେଶକ ହେବା ଲାଗି ଅଣ୍ଟା ଭିଡ଼ିଥିଲେ।

ଏହି ଚଳଚ୍ଚିତ୍ରର ଶୀର୍ଷକ ବି ସ୍ଥିରୀକୃତ ହୋଇଥିଲା। ଏହି ସିନେମାର ଶୀର୍ଷକ ରହିଥିଲା ‘କାହାର କେତେ ଦମ୍’। ‘ଆରେ ସାଥୀ ଆ’ ଭଳି ଓଡ଼ିଆ ଛବିରେ ନିର୍ମାଣ କରିଥିବା ପ୍ରଯୋଜନା ସଂସ୍ଥା ଏହି ସିନେମାର ପ୍ରଯୋଜନା କରିବାକୁ ଆଗେଇ ଆସିଥିଲେ।

Comment