ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆା ଜାତୀୟ ଶିକ୍ଷା ନୀତି ଉପରେ ମାନସ ମନ୍ଥନ କରାଯାଇଛି। ଏହି ଶିକ୍ଷାନୀତି ଦ୍ୱାରା ଓଡ଼ିଶା କେତେ ଲାଭବାନ ହେବ ତା’ ଉପରେ ଆଲୋଚନା କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଡାକିଥିବା ବୈଠକରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାବିତ, ପ୍ରଶାସନିକ ଅଧିକାରୀ, ଶିକ୍ଷା ସହ ଜଡ଼ିତ ବିଭିନ୍ନ ସଂଘ ଉପସ୍ଥିତ ରହି ମତାମତ ଦେଇଥିଲେ।

ଯୁକ୍ତ ୩କୁ ଚାରି ବର୍ଷିଆ କୋର୍ସ କରିବା, ସବୁ ସରକାରୀ ଓ ବେସରକାରୀ କଲେଜରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର, ସବୁ ଡିଗ୍ରୀ କଲେଜକୁ ଅଟୋନୋମସ୍ କରିବା, ମଲ୍ଟି ସବ୍‌ଜେକ୍ଟ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ଓଡ଼ିଶା ଭଳି ପଛୁଆ ରାଜ୍ୟରେ ଏଲିଟ୍ କ୍ଲାସ୍ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା ଯୁକ୍ତି ସଙ୍ଗତ ନୁହେଁ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି।

‘‘ଓଡ଼ିଶାରେ ୨୫ ପ୍ରତିଶତ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ଶିକ୍ଷା ଭିତ୍ତିଭୂମି ବହୁ ପଛରେ ରହିଛି। ଏଣୁ ବର୍ତ୍ତମାନ ରାଜ୍ୟରେ ଥିବା ଶିକ୍ଷା ଭିତ୍ତିଭୂମି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଶିକ୍ଷା ନୀତିରେ ଥିବା ବିଭିନ୍ନ ପ୍ରସ୍ତାବରେ ପରିବତ୍ତନ ଲାଗି ପରାମର୍ଶ ଦିଆଯିବ’’, କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ।

୧୯୮୬ରେ ଶିକ୍ଷା ନୀତିରେ ପରିବର୍ତ୍ତନ କରାଯାଇଥିଲା। ଏବେ କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ମତାମତ ରଖିବା ଲାଗି ରାଜ୍ୟମାନଙ୍କୁ ଚଳିତ ମାସ ଶେଷ ଯାଏଁ ସମୟ ଦିଆଯାଇଛି।

Comment