ଓଡ଼ିଶାଲାଇଭ ବ୍ୟୁରୋ

କର୍ଣ୍ଣାଟକରେ ଲାଗି ରହିଥିବା ରାଜନୈତିକ ସଂକଟକୁ ନେଇ ଗୁରୁବାର ସଂସଦ ପରିସରରେ ଧାରଣାରେ ବସିଛି କଂଗ୍ରେସ। ବିଜେପି ଟଙ୍କା ଦେଇ କଂଗ୍ରେସ ବିଧାୟକମାନଙ୍କୁ କିଣୁଥିବା ଅଭିଯୋଗରେ  କଂଗ୍ରେସ ଏହି ଧାରଣା ଦେଇଛି।

ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ରାହୁଲ ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି। ଦଳର ଅନେକ ବଡବଡ ତୁଙ୍ଗନେତା ସଂସଦର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଏହି ଧାରଣାରେ ଆସି ସାମିଲ ହୋଇଛନ୍ତି।

କର୍ଣ୍ଣାଟକରେ କଂଗ୍ରେସର ସଂକଟ ବଢିବାରେ ଲାଗିଛି । କଂଗ୍ରେସ –ଜେଡିଏସ୍ ୧୩ ମାସର ସରକାର ଏବେ ନିଜ ଆସନ ସୁରକ୍ଷିତ କରିପାରୁନାହିଁ। ବିଦ୍ରୋହୀ ବିଧାୟକମାନେ ବାଚସ୍ପତିଙ୍କ ନିଷ୍ପତିକୁ ନେଇ ସୁପ୍ରିମକୋଟ୍ର ଦ୍ୱାରସ୍ଥ ହୋଇଥିବା ବେଳେ ବିରୋଧୀ ବିଜେପି ରାଜ୍ୟରେ ସରକାର ଗଢ଼ିବାକୁ ରାଜ୍ୟପାଳକୁ ଦାବି ଜଣାଇଛି।

କର୍ଣ୍ଣାଟକ ଭଳି ଗୋଆରେ ବି ୧୦ଜଣ କଂଗ୍ରେସ ବିଧାୟକ ଦଳ ଛାଡି ଆସି ବିଜେପିରେ ସାମିଲ ହୋଇଛନ୍ତି।

ଗୋଆ କଂଗ୍ରେସ ବିଧାୟକ କହିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀର ତଥା ରାଜ୍ୟର ବିକାଶ ପାଇଁ ସେମାନେ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ବର୍ତମାନ ଭଲ କାମ କରୁଛନ୍ତି ତେଣୁ ସେମାନେ ଦଳ ଛାଡିଲେ।

ଏପଟେ ଗୋଆ ବିଜେପି କହିଛି ଯେ,ବିଧାୟକମାନେ ନିସର୍ତ୍ତ ଭାବେ ଆସି ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ଗୋଆରେ ବିଜେପିର ବିଧାୟକ ସଂଖ୍ୟା ୧୭ ଥିଲାବେଳେ କଂଗ୍ରେସର ବିଧାୟକ ସଂଖ୍ୟା ୧୫ ରହିଥିଲା। କଂଗ୍ରେସ ବିଧାୟକ ଦଳରେ ଆସି ସାମିଲ ହେବାପରେ ରାଜ୍ୟରେ ବିଜେପି ବିଧାୟକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି ଏବଂ କଂଗ୍ରେସ ବିଧାୟକ ସଂଖ୍ୟା ୫କୁ ଖସି ଆସିଛି।

ଏ ଦୁଇଟି ଘଟଣାକୁ କେନ୍ଦ୍ରକରି ଆଜି କଂଗ୍ରେସ ଏହି ଧାରଣାରେ ବସିଛି,ଉଭୟ ରାଜ୍ୟରେ ବିଜେପି ଟଙ୍କା ବଳରେ ବିଧାୟକମାନଙ୍କୁ କିଣିବାରେ ଲାଗିଛି ବୋଲି ଅଭିଯୋଗ କରିଛି କଂଗ୍ରେସ।

Comment