ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଚିଟଫଣ୍ଡ କମିସନ।

କଟକ :  ଚିଟଫଣ୍ଡ ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍.ଦାସ କମିସନଙ୍କ ପକ୍ଷରୁ ଶୁକ୍ରବାର ରାଜ୍ୟ ସରକାରଙ୍କ ନିକଟରେ ସପ୍ତମ ଅନ୍ତରୀଣ  ରିପୋର୍ଟ ଦାଖଲ କରାଯାଇଛି। ପ୍ରାୟ ୧୭ ହଜାର ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ମୋଟ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀ (୧୦ ହଜାରରୁ କମ୍)ଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୨୧୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ କମିସନଙ୍କ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ କରାଯାଇଛି।

ମୋଟ ୪ ଲକ୍ଷ ୯୭ ହଜାର ୮୪୪ ଜଣ(୭ଟି ପର୍ଯ୍ୟାୟକୁ ମିଶାଇ) କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଥିଲାବେଳେ ୧୯୩୧ଜଣଙ୍କୁ ଅର୍ଥ ଫେରସ୍ତ କରାଯାଇଛି। କମିସନଙ୍କ ସଚିବ ଦେବରାଜ ରାଉତ ଏହି ରିପୋର୍ଟ ରାଜ୍ୟ ଗୃହ ବିଭାଗ ନିକଟରେ ଦାଖଲ କରିଛନ୍ତି।

ବେସିଲ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ କମ୍ପାନିର ୧୯ ହଜାର ୮୯୨ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଥିଲାବେଳେ କୋଲକତା ୱେୟାର ଇଣ୍ଡଷ୍ଟ୍ରିଜର ୩୩ ହଜାର ୮୦୦ ଜଣ, ଗ୍ରୀନ୍ ରେ’ ଇଣ୍ଟରନ୍ୟାସନାଲ ଲିମିଟେଡର ୮ ହଜାର ୯୦୪ ଜଣ ଏବଂ ରୋଜଭ୍ୟାଲି ଗ୍ରୁପ ଅଫ କମ୍ପାନିର ୮ ହଜାର ୮୮୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ଗତ ଜାନୁଆରୀ ପହିଲାରୁ ଜୁନ୍ ୩୧ ତାରିଖ ମଧ୍ୟରେ କମିସନଙ୍କ କାର୍ଯ୍ୟାଳୟକୁ ଆସିଥିବା ସତ୍ୟପାଠକୁ ଯାଞ୍ଚ କରାଯାଇ ଏହି ରିପୋର୍ଟ ଦାଖଲ କରାଯାଇଛି। କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଥିଲାବେଳେ ଏହାପରେ ବଡ ଜମାକାରୀ ଅର୍ଥାତ ୧୦ ହଜାରରୁ ଅଧିକ ଟଙ୍କା ଜମାକରିଥିବା ଜମାକାରୀଙ୍କୁ ଚିହ୍ନଟ କରାଯିବ।

କମିସନଙ୍କ ପକ୍ଷରୁ ଚିଟଫଣ୍ଡ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବାପରେ ପର୍ଯ୍ୟାୟକ୍ରମେ କମିସନ ସରକାରଙ୍କ ନିକଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରି ଆସୁଛନ୍ତି। ପ୍ରଥମ ପର୍ଯ୍ୟାୟ ରିପୋର୍ଟରେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ୮ ହଜାର ୬୩୨ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲାବେଳେ ଦ୍ୱିତୀୟ ରିପୋର୍ଟରେ ୧୦ ହଜାର ୭୯୦, ତୃତୀୟ ପର୍ଯ୍ୟାୟରେ ୪୧ ହଜାର ୫୧୯, ଚତୁର୍ଥ ପର୍ଯ୍ୟାୟରେ ୫୫ ହଜାର ୫୬୩, ପଞ୍ଚମ ପର୍ଯ୍ୟାୟରେ ୧ ଲକ୍ଷ ୧ ହଜାରେ ୮୫୦, ଷଷ୍ଠ ପର୍ଯ୍ୟାୟରେ ୧ ଲକ୍ଷ ୪୩ ହଜାର ୪୬୩ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି।

Comment