ଓଡ଼ିଶାଲାଇଭ ବ୍ୟୁରୋ

ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି ମିଳିଛି। ଗୋଖାଦ୍ୟ ଦୁର୍ନିୀତି ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ବ୍ୟକ୍ତିଗତ ଭାବେ ତାଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଧାର୍ଯ୍ୟ କରି କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ଲାଲୁ ତାଙ୍କ ପାସପୋର୍ଟ କୋର୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଜାମିନ ତାଙ୍କୁ ଦେବଘର କୋଷାଗାର ଦୁର୍ନୀତି ମାମଲାରେ ମିଳିଛି। ଲାଲୁଙ୍କ ନାମରେ ପ୍ରମାଣିତ ହୋଇଥିବା ଏକାଧିକ ଅପରାଧ ମଧ୍ୟରୁ ଦେବଘର କୋଷାଗାର ଦୁର୍ନୀତି ମାମଲା ଗୋଟିଏ।

ଜାମିନ ପାଇଁ କିଛି ଦିନ ତଳେ ଲାଲୁ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ଗତ ଜୁଲାଇ ୫ରେ ଶୁଣାଣି ହୋଇଥିଲା। ସେହିଦିନ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନଥିଲେ। ଆଗାମୀ ଶୁଣାଣି ପାଇଁ ଆଜିର ଦିନକୁ ଧାର୍ଯ୍ୟ କରିଥିଲେ କୋର୍ଟ। ଲାଲୁ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲରେ ରାଞ୍ଚିରେ ଏକ ଜେଲରେ ଅଛନ୍ତି।

ସିବିଆଇର ସ୍ପେଶାଲ କୋର୍ଟ ୨୦୧୩ରେ ଏହି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ଦେବଘର କୋଷାଗାରରୁ ପାଖାପାଖି ୮୯ ଲକ୍ଷ ୨୭ ହଜାର ଟଙ୍କାର ଦୁର୍ନୀତି ମାମଲାରେ ସେ ୨୦୧୭ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ତାଙ୍କୁ ସାଢ଼େ ୩ ବର୍ଷ ଜେଲ ଦଣ୍ଡ ଶୁଣା ଯାଇଥିଲା। ଲାଲୁ ଏହାର ପ୍ରାୟ ଅଧା ଅବଧି ଜେଲରେ କାଟି ସାରିଲେଣି।

Comment