ଓଡ଼ିଶାଲାଇଭ ବ୍ୟୁରୋ

ହାତରେ ଝାଡ଼ୁ ଧରି ସଂସଦ ପରିସର ସଫା କରିଛନ୍ତି ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ସାଂସଦ। ଆଜି ଏଭଳି ଦୃଶ୍ୟ ସଂସଦ ପରିସରରେ ଦେଖିବାକୁ ମିଳିଛି। ନିଜେ ବାଚସ୍ପତି ଓମ ବିର୍ଲା ଝାଡ଼ୁ ଧରି ସଂସଦ ପରିସର ସଫା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଏବଂ ଅନୁରାଗ ଠାକୁର, ପ୍ରତାପ ଷଡ଼ଙ୍ଗୀ, ହେମାମାଳିନୀ ପ୍ରମୁଖ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କର୍ମୀ ମଧ୍ୟ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ଜରିଆରେ ସଂସଦ ପରିସର ସଫା କରିବା ସହ ଦେଶବାସୀଙ୍କୁ ସ୍ୱଚ୍ଛତା ବାର୍ତ୍ତା ମଧ୍ୟ ଦେଇଛନ୍ତି ଏମାନେ। ଚଳିତ ବର୍ଷ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶବାସୀଙ୍କ ନିକଟରେ ପହଞ୍ଚାଇବା ଏବଂ ଏଥିସହ ଦେଶକୁ ସ୍ୱଚ୍ଛ ସୁନ୍ଦର କରିବାକୁ ଏହି କାର୍ଯ୍ୟକ୍ରମ ଦ୍ୱାରା ବାର୍ତ୍ତା ଦିଆଯାଇଛି। ସଂସଦରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସାରାଦେଶରେ ଆୟୋଜିତ ହେବ।

‘‘ଦେଶକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଗାଁ, ସହର ସବୁଠି କେମିତି ପରିବେଶ ସ୍ୱଚ୍ଛ ରହିବ ସେଥିଲାଗି ଆମେ ସଂକଳ୍ପବଦ୍ଧ‘‘, ଏହି ଅବସରରେ କହିଛନ୍ତି ବାଚସ୍ପତି ଓମ୍ ବିର୍ଲା।

Comment