ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରାରେ ତିନି ଦଳର ହେଭିଓ୍ୱେଟଙ୍କ ଭିଡ଼। ପ୍ରଚାରରେ କମ୍ପୁଛି ଗାଁ ଦାଣ୍ଡ।

ଜୁଲାଇ ୨୦ରେ ହେବ ପାଟକୁରା ନିର୍ବାଚନ। ଏଥିପାଇଁ ପାଟକୁରାର ନିର୍ବାଚନ ମଇଦାନ ଉଠୁଛି ପଡୁଛି। ସବୁ ଦଳର ହେଭିୱେଟ ନେତାଙ୍କ ଘନ ଘନ ପ୍ରଚାରରେ ସରଗରମ ହୋଇଯାଇଛି ପାଟକୁରା ରାଜନୀତି।

ବିଜେଡିର ମାଳ ମାଳ ନେତା ପାଟକୁରାରେ ଗତ ୮ ଦିନ ହେଲା ଡେରା ପକାଇଥିବା ବେଳେ ଆଜି କଂଗ୍ରେସ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁର ରାଉତରାୟ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି ପାଟକୁରାରେ ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ପାଇଁ ପ୍ରଚାର କରିଛନ୍ତି।

ଏପଟେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଡୋର ଟୁ ଡୋର ବୁଲି ଏମାନେ କ୍ୟାମ୍ପେନ କରିଛନ୍ତି।

ପାଟକୁରାରେ ଚାଲିଛି ହାଇଭୋଲଟେଜ ନିର୍ବାଚନ। ପାଟକୁରା ଦଖଲ କରିବା ପାଇଁ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଜୋରଦାର ରଣନୀତି କରିଛନ୍ତି। ବିଜେଡିର ୧୫ରୁ ଅଧିକ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକଙ୍କୁ ପାଟକୁରା ଦାୟିତ୍ୱ ଦେଇଛି। ଏହାସତ୍ତ୍ୱେ ବିଜେଡି ଶେଷ ମୁହୂର୍ତ୍ତରେ ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡ଼ାଙ୍କୁ ପାଟକୁରା ନିର୍ବାଚନର ସଂଯୋଜକ ଭାବେ ନିଯୁକ୍ତ କରିଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର ଜୋରଦାର ଚଳାଇଛି ବିଜେଡିା

ଗାଁ ଗାଁ ବୁଲି ବିଜେଡିର ନେତାମାନେ ନବୀନ ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ଯେଉଁଠି ସମସ୍ୟା ଅଛି ସେଠି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି।

ଏପଟେ ବିଜେପି ମଧ୍ୟ ବିଜୟ ମହାପାତ୍ରଙ୍କୁ ଜିତାଇବା ପାଇଁ ଗୋଟି ଚାଳନା କରୁଛି। ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ, ଭୃଗୁ ବକ୍ସିପାତ୍ର ଏବଂ ମନମୋହନ ସାମଲଙ୍କୁ ଟିମ୍ ଲିଡର ଭାବେ ଦାୟିତ୍ୱ ଦେଇଛି ବିଜେପି।

ବିଜୟଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାର କରିବା ପରେ ଏବେ ବୈଜୟନ୍ତ ପଣ୍ଡା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଆଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ।

‘‘ବିଜୟ ମହାପାତ୍ରଙ୍କୁ ଏଥର ପାଟକୁରାବାସୀ ନିରାଶ କରିବେନି। ଏଥର ସେ ନିଶ୍ଚିତ ବିଧାନସଭାକୁ ଆସିବେ। ବିଜେପି ନିଶ୍ଚିତ ପାଟକୁରାରେ ବିଜୟୀ ହେବ’’, କହିଛନ୍ତି ଜୁଏଲ ଓରାମ।

ବାହୁଡ଼ା ପରେ ପ୍ରଚାର କରିବାକୁ କହିଥିବା କଂଗ୍ରେସ ଆଜି ପାଟକୁରାରେ ଶକ୍ତି ପ୍ରଦର୍ଶନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ସୁର ରାଉତରାୟ ଘର ଘର ବୁଲି ପ୍ରଚାର କରିଥିବା ବେଳେ ଆଗକୁ ପ୍ରଭାରୀ ଜିତେନ୍ଦ୍ର ସିଂହ ଏବଂ ଅନ୍ୟ ନେତାମାନେ ପ୍ରଚାରରେ ସାମିଲ ହେବେ।

‘‘ବିଜେପି ଏବଂ ବିଜେଡିର ଟଙ୍କା ବଳ ଏଠି କିଛି କାମ କରିବନି। ଲୋକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବେ। ପାଟକୁରା ମାଟିର ପୁଅ ଜୟନ୍ତ ମହାନ୍ତିଙ୍କୁ ନିଶ୍ଚିତ ଜିତାଇବେ’’, କହିଛନ୍ତି ସୁର ରାଉତରାୟ।

Comment