ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରଚାର ସେତିକି ସରଗରମ ହେଉଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଏଥର ବିଧାନସଭା ପଠାଇବା ପାଇଁ ବିଜେପି ଫୁଲ୍‌ ଦମ୍‌ରେ ପ୍ରଚାର କରୁଛି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଏବଂ ଜୁଏଲ ଓରାମ ପ୍ରଚାର କରିବା ପରେ ଆଜି ଓଡ଼ିଶା ବିଜେପିର ପୋଷ୍ଟରବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟଙ୍କ ପାଇଁ ପ୍ରଚାର କରିଛନ୍ତି।

ଧର୍ମେନ୍ଦ୍ର ନରେନ୍ଦ୍ରପୁର ପଞ୍ଚାୟତରୁ ପ୍ରଚାର ଆରମ୍ଭ କରିଥିଲେ। ୧୦ରୁ ଅଧିକ ପଞ୍ଚାୟତରେ ରୋଡ ସୋ’ କରି ଧର୍ମେନ୍ଦ୍ର ବିଜୟଙ୍କ ପାଇଁ ଭୋଟ ମାଗିଥିଲେ।

ଏହାପରେ ଧର୍ମେନ୍ଦ୍ର ମଧୁ ଛକ, ସାନବେତରା ହନୁମାନ ଛକ, ନାଗଣପୁର, ବଡ଼ବେତରା ଛକ, କୁସୁନପୁର ରଥ ସାହି, ଭଗବାନପୁର, ଗଜପୁର, ଚାଞ୍ଚୋଇ, କୋରୁଆ, ହରିପୁର, ଟକନପୁର, ବେହୁଳା, ନଡ଼ିଆବାରେଣୀ, ଓସ୍ତପୁରରେ ରୋଡ ସୋ’ କରି ବିଜୟଙ୍କ ପାଇଁ ପ୍ରଚାର କରିଥିଲେ।

ବିଜୟ ଏବଂ ଧର୍ମେନ୍ଦ୍ର ଭଗବାନପୁର ପଞ୍ଚାୟତର ମା’ ବୁଢ଼ୀଜାଗୁଳାଇଙ୍କୁ ଦର୍ଶନ କରିବା ସହ ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ। ମହିଳାମାନେ ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଧର୍ମେନ୍ଦ୍ର ଆଜିଠୁ ପାଟକୁରା ନିର୍ବାଚନ ମଇଦାନରେ ପ୍ରଚାର ଆରମ୍ଭ କରିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୭ରୁ ପ୍ରଚାର କରିବେ। ନବୀନ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ପାଟକୁରାରର ବିଭିନ୍ନ ପଞ୍ଚାୟତରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।

Comment