ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟରେ ଖାଲି ପଡ଼ିଛି ୧ ଲକ୍ଷ ୩୧ ହଜାର ୫୧୮ ପଦବୀ। ଏହି ତଥ୍ୟ ଆଜି ବିଧାନସଭାରେ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଗୋଟିଏ ପଟେ ରାଜ୍ୟରେ ନିଯୁକ୍ତି ଅଭାବରୁ ଯୁବପିଢ଼ି ଅନ୍ୟ ରାଜ୍ୟକୁ ଚାକିରି ଅନ୍ୱେଷଣରେ ଯାଉଛନ୍ତି। ଏପଟେ ୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ପଦବୀ ଖାଲି ପଡ଼ିବା ସରକାରଙ୍କ ନିଯୁକ୍ତି ଯୋଜନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜ୍ୟରେ କେତେ ସରକାରୀ ପଦବୀ ଖାଲି ପଡ଼ିଛି? ସେଥିରୁ କେତେ ପଦବୀରେ ନିଯୁକ୍ତି ଦିଆଯାଇଛି ଏବଂ କେତେ ଫାଙ୍କା ପଡ଼ିଛି ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

ବିଧାନସଭାରେ ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ‘‘ରାଜ୍ୟରେ ମୋଟ ୪ ଲକ୍ଷ ୯୭ ହଜାର ୨୫୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ସହ ମୋଟ ୫ ଲକ୍ଷ ୮୩ ହଜାର ୨୧ଟି ପଦବୀ ରହିଛି। ୬୫ ହଜାର ୭୬୪ ଗ୍ରାଣ୍ଟ ଇନ୍ ଏଡ୍ ପଦବୀ ରହିଥିବା ବେଳେ ୧୧, ୦୦୬ଟି ପଦବୀ ଫାଙ୍କା ପଡ଼ିଛି। ସେହିପରି ୧୯୯୯ରୁ ୨୦୦୮ ମଧ୍ୟରେ ବିଭିନ୍ନ ବିଭାଗରୁ ୪୧ ହଜାର ୬୩୫ ପଦବୀ ଉଛେଦ କରାଯାଇଛି।’’

ଗ୍ରେଡ ଏରେ ୮ ହଜାର ୬୨୨, ଗ୍ରେଡ ବିରେ ୧୫ ହଜାର ୨୩୧, ଗ୍ରେଡ ସିରେ ୬୩ ହଜାର ୭୩୩, ଗ୍ରେଡ ଡିରେ ୨୨ ହଜାର ୯୨୬, ଗ୍ରାଣ୍ଟ ଇନ୍ ଏଡ୍‌ରେ ୧୧ ହଜାର ୬ଟି ପଦବୀ ଫାଙ୍କା ପଡ଼ିଛି।

ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୩୦ ହଜାର ୨୯୯ଟି ପଦବୀ ଖାଲି ପଡ଼ିଥିବା ମନ୍ତ୍ରୀ ବିଧାନସଭାରେ ଜଣାଇଛନ୍ତି।

Comment