ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଧାନସଭାରେ ଉତ୍ତର ଦେଲେ ଅର୍ଥମନ୍ତ୍ରୀ। ୧୦ ହଜାର ଟଙ୍କାରୁ ଅଧିକ ଜମା କରିଥିବା ଜମାକାରୀଙ୍କୁ ମିଳିବନି ଟଙ୍କା।

ଚିଟଫଣ୍ଡ ଟଙ୍କା ଫେରି ପାଇବା ପାଇଁ ଜମାକାରୀ ଆଶା କରିଥିବା ବେଳେ ରାଜ୍ୟ ସରକାର ଆଜି ଏହି ଆଶାକୁ ମଉଳାଇ ଦେଇଛନ୍ତି। ବଡ଼ ଜମାକାରୀ ନୁହେଁ, କେବଳ କ୍ଷୁଦ୍ର ଜମାକାରୀଙ୍କ ରାଜ୍ୟ ସରକାର ଗଠନ କରିଥିବା କର୍ପସ୍‌ ପାଣ୍ଠିରୁ ଟଙ୍କା ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କହିଛନ୍ତି।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଚିଟଫଣ୍ଡ ତଦନ୍ତ ଏବଂ ଜମାକାରୀଙ୍କୁ ଟେଙ୍କା ଫେରସ୍ତ ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ‘’୧୦ ହଜାର ଟଙ୍କାରୁ ଅଧିକ ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ ଟଙ୍କା ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କେବଳ ୧୦ ହଜାର ଟଙ୍କାରୁ କମ୍ ଜମା କରିଥିବା ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବାର ବ୍ୟବସ୍ଥା ରହିଛି।’’

ଚିଟଫଣ୍ଡ ଜମାକାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ଜଷ୍ଟିସ୍ ମଦନମୋହନ ଦାସଙ୍କ ନେତୃତ୍ୱରେ ଏକ କମିସନ ଗଠନ କରିଛନ୍ତି। ଏହି କମିସନ ଇତିମଧ୍ୟରେ ୬ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। କମିସନ ୩ ଲକ୍ଷ ୬୧ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୭୧୪ ଜଣଙ୍କୁ କ୍ଷତିପୂରଣ ଦିଆଯାଇଛି।

ଅର୍ଥମନ୍ତ୍ରୀ ଆହୁରି କହିଥିଲେ ଯେ ରାଜ୍ୟର ଅର୍ଥନୀତିକ ଅପରାଧ ଶାଖା ବେଆଇନ ଆର୍ଥିକ ପ୍ରତିଷ୍ଠାନ ବିରୋଧରେ ୬୭୫ଟି ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ୪୪ଟି ଚିଟଫଣ୍ଡ କମ୍ପାନି ନାଁରେ ଥିବା ୮୫ଟି ମାମଲାର ତଦନ୍ତ ଭାର ସିବିଆଇ ଏବଂ ଏସ୍‌ଆଇଟି ନେଇଛନ୍ତି। ଏପର୍ଯ୍ୟନ୍ତ ଚିଟଫଣ୍ଡ ତଦନ୍ତ କମିସନ ପାଇଁ ୫ କୋଟି ୫୫ ଲକ୍ଷ ୩୦ ହଜାର ୯୬୯ ଟଙ୍କା ଖର୍ଚ୍ଚ ହୋଇଛି।

୨୦୦୭ରୁ ୨୦୧୨ ଭିତରେ ଓଡ଼ିଶାରେ ଛତୁ ଫୁଟିଲା ଭଳି ଚିଟଫଣ୍ଡ ସଂସ୍ଥା ଖୋଲିଥିଲା। ଲୋକଙ୍କୁ ଲୋଭନୀୟ ସ୍କିମ ଦେଖାଇ ଚିଟଫଣ୍ଡ ସଂସ୍ଥା ଟଙ୍କା ଲୁଟି ନେଇଥିଲେ। ଜମାକାରୀ ମୁଣ୍ଡରେ ହାତ ଦେଇ ବସିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଚିଟଫଣ୍ଡ ଠକଇେର ତଦନ୍ତ ଭାର ସିବିଆଇ ନେଇଥିଲା। ସିବିଆଇ ବହୁ ଚିଟଫଣ୍ଡ ସଂସ୍ଥାର ମାଲିକ ଏବଂ କିଛି ରାଜନେତାଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଅନେକ ଜାମିନରେ ଆସିଛନ୍ତି।

ଜମାକାରୀମାନେ ଟଙ୍କା ଫେରି ପାଇବା ପାଇଁ ବହୁବାର ଆନ୍ଦୋଳନ କରିବା ପରେ ସରକାର ୩୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠି କରିଥିଲେ। ଜମାକାରୀ ଚିହ୍ନଟ ପାଇଁ କମିସନ ଗଠନ କରିଥିଲେ। କମିସନଙ୍କ କାର୍ଯ୍ୟକାଳ ପ୍ରଥମେ ୩ ମାସ ଏବଂ ପରେ ୭୩ ମାସକୁ ଅବଧି ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା କମିସନ ପାଇଁ ସାଢ଼େ ୫ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଶେଷ ହେଉନି। କେବେ ଜମାକାରୀ ଚିହ୍ନଟ ଶେଷ ହେବ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

Comment