ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୁଖ୍ୟମନ୍ତ୍ରୀ ତୁମେ ଉତ୍ତର ଦିଅ’- ଏମିତି ନାରାରେ ଆଜି କମ୍ପିଥିଲା ବିଧାନସଭା। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ଗୃହକୁ ହୁଲସ୍ତୁଲ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଦୁଇ ଥର ମୁଲତବୀ ରଖିଥିଲେ।

ପୁରୀରେ ନାବାଳିକାକୁ ଦୁଷ୍କର୍ମ, ପଟ୍ଟନାୟିକିଆ ଛକରେ ତିନି ଜଣଙ୍କୁ ହତ୍ୟା, କେନ୍ଦ୍ରାପଡ଼ାରେ ଯୁବ ବ୍ୟବସାୟୀଙ୍କୁ ଗୁଳି ଆଦି ଘଟଣାକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଥିଲା ବିରୋଧୀ ବିଜେପି। ଏହାସହ ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପୁଅକୁ ଗିରଫ, ସତ୍ୟବାଦୀରେ ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ ଆଦି ଘଟଣାକୁ ମଧ୍ୟ ଅସ୍ତ୍ର କରିଥିଲା ବିଜେପି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଥିଲେ। ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ବିଜେପି ଦାବି କରିଥିଲା।

ଶୂନ୍ୟକାଳରେ ମଧ୍ୟ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା। ‘ଓଡ଼ିଶାରେ ଆଇନର ଶାସନ ନୁହେଁ, ଜଙ୍ଗଲ ରାଜ ଚାଲିଛି’ – କହିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ କଂଗ୍ରେସ ସଭ୍ୟ। ବାଚସ୍ପତିଙ୍କ ପୋଡିୟମକୁ ଉଠିବା ଲାଗି ଉଦ୍ୟମ କରିଥିଲେ କଂଗ୍ରେସ ସଭ୍ୟ। ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ।

Comment