ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଯୋଜନା କରିଛନ୍ତି। ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ହେଲେ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା।

ଏହି ଦୁର୍ନୀତିରେ ଜଡ଼ିତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ କହିଛନ୍ତି। ଗତ ଦୁଇ ବର୍ଷ ଭିତରେ ୮୩୬ ଜଣ ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।

୭୯ ଜଣ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ୨୨ ଜଣଙ୍କୁ ବହିଷ୍କୃତ କରାଯାଇଛି। ୨୬୮ ଜଣ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିବା ବେଳେ ୩୫ ଜଣଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ହୋଇଥିବା ମନ୍ତ୍ରୀ କହିଛନ୍ତି।

ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କା ଘର ଯୋଜନାରେ ଦୁର୍ନୀତି କରିଥିବା କେତେ ସରକାରୀ ଅଧିକାରୀଙ୍କ ବିରୋଧରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଥିଲେ।

Comment