ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗୋଟିଏ ଦିନରେ ତିନି ବ୍ଲକରେ ମାରାଥନ ପ୍ରଚାର କରିବେ ନବୀନ।

ପାଟକୁରା ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିବେ ନବୀନ। ଏନେଇ ଚଳ ଚଞ୍ଚଳ ହୋଇ ଉଠିଛି ପାଟକୁରା ରାଜନୀତି। ପାଟକୁରା ଭୋଟକୁ ଆଉ ତିନି ଦିନ ବାକି ଥିବା ବେଳେ ନବୀନ ୧୭ ତାରିଖରେ କରିବେ ହାଇଭୋଲଟେଜ ପ୍ରଚାର।

୧୭ ତାରିଖ ସକାଳ ୯ଟା୨୦ରେ ନବୀନ ନିବାସରୁ ପାଟକୁରା ଅଭିମୁଖେ ବାହାରିବେ ନବୀନ। ୯ଟା୨୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ହେଲିକପ୍ଟରରେ ଯିବେ ନୀବନ। କେନ୍ଦ୍ରାପଡ଼ା ବାରିମୂଳ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ହାଇଟେକ୍ ବସରେ ପ୍ରଚାର କରିବେ। ଗୋଟିଏ ଦିନରେ ନବୀନ ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଲକର ବିଭିନ୍ନ ପଞ୍ଚାୟତ ଛୁଇଁବେ।

ନବୀନଙ୍କ ପାଟକୁରା ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ବିଜେଡି କର୍ମୀ। ନବୀନଙ୍କ ପ୍ରଚାରକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି ନେତା ଓ କର୍ମୀ।

୨୦୧୯ ନିର୍ବାଚନରେ ବିଜେଡି କେନ୍ଦ୍ରାପଡ଼ାର ଲୋକସଭା ଆସନ ସମେତ ସମସ୍ତ ବିଧାନସଭା ଆସନ ଅକ୍ତିଆର କରିଥିଲା। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ଯୋଗୁଁ ପାଟକୁରା ନିର୍ବାଚନ ସ୍ଥଗିତ ରହିଥିଲା। ଏଣୁ ଏବେ ପାଟକୁରା ଦଖଲ କରିବା ପାଇଁ ବିଜେଡି ଜୋରଦାର ପ୍ରୟାସ ଚଳାଇଛି।

ବିଜେଡି ପ୍ରାଟକୁରାରେ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ପାଟକୁରାରେ ମୁଖ୍ୟତଃ ବିଜେପି ଏବଂ ବିଜେଡି ଭିତରେ ଲଢ଼େଇ ଚାଲିଛି।

ବିଜୟଙ୍କୁ ଜତାଇବା ପାଇଁ ବିଜେପି ନେତାମାନେ ପାଟକୁରାରେ ଡେରା ପକାଇଥିବା ବେଳେ ସାବିତ୍ରୀଙ୍କୁ ଜିତାଇବା ପାଇଁ ବିଜେଡିର ମାଳ ମାଳ ନେତା ପାଟକୁରାରେ କ୍ୟାମ୍ପ କରିଛନ୍ତି। ସେହପିରି କଂଗ୍ରେସ ନେତା ବି ଜୋରଦାର କ୍ୟାମ୍ପେନ କରୁଛନ୍ତି।

ବିଜେପି ପ୍ରାର୍ଥୀଙ୍କ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପ୍ରଚାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିଛନ୍ତି। ଆସନ୍ତା କାଲି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିବେ ନବୀନ।

Comment