ଓଡ଼ିଶାଲାଇଭ ବ୍ୟୁରୋ

ଗ୍ରାମବାସୀଙ୍କ ଅସୁବିଧାକୁ ଦୂର କରିବାକୁ ନିଜ ସଞ୍ଚିତ ଅର୍ଥକୁ ଲଗାଇ ଏକ ଅଧାଗଢ଼ା ବ୍ରିଜକୁ ସମ୍ପୂର୍ଣ୍ଣ କରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡ଼ିହ ବ୍ଲକ କାନପୁର ଗାଁର ଗଙ୍ଗାଧର ରାଉତ।

ସେ କେଉଁ ନେତା ନୁହେଁ କି ମନ୍ତ୍ରୀ ନୁହେଁ। ସେ ପଶୁ ଚିକିତ୍ସା ବିଭାଗର ଜଣେ ଅବସରପ୍ରାପ୍ତ ସାଧାରଣ କର୍ମଚାରୀ ଗଙ୍ଗାଧର ରାଉତ। ସାଧାରଣ ଲୋକଙ୍କ ଦୁଃଖ ଦୂର କରିବାକୁ ନିର୍ମାଣ କରିଛନ୍ତି ବ୍ରିଜ। ସାଳନ୍ଦି ନଦୀ ଉପରେ ଏକ ଅଧା ତିଆରି ବ୍ରିଜକୁ ସଂପୂର୍ଣ୍ଣ କରିଛନ୍ତି। ନିଜ ଚାକିରି ଜୀବନରେ ସଞ୍ଚିତ ସମସ୍ତ ଅର୍ଥକୁ ସେ ଏହି ବ୍ରିଜ ତିଆରିରେ ଲଗାଇ ଦେଇଛନ୍ତି।

କେନ୍ଦୁଝର ଜିଲ୍ଲା ହାଟଡ଼ିହ ବ୍ଲକ କାନପୁର ଗାଁର ଗଙ୍ଗାଧର ରାଉତ ସରକାରଙ୍କ ଖାମଖିଆଲ କାମରେ ଅତିଷ୍ଠ ହୋଇ ସାଳନ୍ଦି ନଦୀ ଉପରେ ନିଜେ ଏକ ବ୍ରିଜ ତିଆରି କରିଛନ୍ତି। ଏହି ବ୍ରିଜରେ ସେ ଏକାକୀ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ବ୍ରିଜ ତିଆରି ହେବା ପରେ ଦୁଇରୁ ଅଧିକ ପଞ୍ଚାୟତର ଲୋକେ ଉପକୃତ ହୋଇପାରିବେ। ଚଳିତ ମାସ ଶେଷ ଆଡ଼କୁ ବ୍ରିଜ କାମ ସଂପୂର୍ଣ୍ଣ ହେଲା ବେଳକୁ ଆହୁରି ୨ଲକ୍ଷ ଖର୍ଚ୍ଚ ହେବ ବୋଲି ଗଙ୍ଗାଧର କହିଛନ୍ତି।

ଗତ କିଛି ବର୍ଷ ତଳେ ଗ୍ରାମବାସୀ ସାଳନ୍ଦି ନଦୀ ଉପରେ ବ୍ରିଜ ତିଆରି କରିବାକୁ ଦାବି କରିଥିଲେ। ପରେ ହାଟଡ଼ିହ ବ୍ଲକ ପ୍ରଶାସନ ବ୍ରିଜ କାମ ଆରମ୍ଭ କରିଥଲେ। ହେଲେ ଟଙ୍କା ଅଭାବରୁ ବ୍ରିଜ କାମ ବନ୍ଦ ହୋଇ ପଡ଼ିଥିଲା।

ବ୍ରିଜ ନଥିବାରୁ ବର୍ଷାଦିନେ ନଦୀ ଆରପାଖରେ ଥିବା ଦୁଇ ଗାଁ ମଧ୍ୟରେ ଯିବା ଆସିବା କରିବାକୁ ଅସୁବିଧା ହେଉଥିଲା। ନଦୀ ଆରପାଖରେ ଥିବା ଚାଷ ଜମିକୁ ମଧ୍ୟ ଲୋକେ ଯାଇ ପାରନ୍ତି ନାହିଁ। ଏଥିପାଇଁ ବାରମ୍ବାର ଅଭିଯୋଗ ମଧ୍ୟ କରାଯାଇଥିଲା।

ବ୍ରିଜ ନିର୍ମାଣ ପାଇଁ ସରକାର ନଶୁଣିବାରୁ ଆଗେଇ ଆସିଥିଲେ ଗଙ୍ଗାଧର। ୨୦୧୮ ମାର୍ଚ୍ଚ ମାସରେ ବ୍ରିଜ କାମ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ବ୍ରିଜ କାମ ଶେଷ ଅବସ୍ଥାରେ ପହଞ୍ଚିଛି।

ଏନେଇ ଗଙ୍ଗାଧର କହନ୍ତି, ”ବ୍ରିଜ ନଥିବାରୁ ଗ୍ରାମବାସୀମାନେ  ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ଯାତାୟତରେ ଅସୁବିଧା ହେଉଥିଲା। ଅଧା ଗଢ଼ା ବ୍ରିଜକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରଶାସନ ନଶୁଣିବାରୁ ମୁଁ ଆଗେଇ ଆସିଥିଲି। ଏହି କାମରେ ମୋ’ ପରିବାର ମଧ୍ୟ ମତେ ସମର୍ଥନ କରିଥିଲା। କାରଣ ମୋର ଦୁଇ ପୁଅ ମୋ ଉପରେ ନିର୍ଭରଶୀଳ ନୁହନ୍ତି।”

Comment