ଓଡ଼ିଶାଲାଇଭ୍ ପଲିଟିକାଲ  ବ୍ୟୁରୋ

ଆଉ ତିନି ଦିନ ପରେ ପାଟକୁରା ଉପ-ନିର୍ବାଚନ ପାଇଁ ହେବ ଭୋଟ। ପ୍ରଚାର ପାଇଁ ହାତରେ ଆଉ ଦୁଇ ଥିବାରୁ ସବୁ ଦଳର ନେତା ଏବେ ପାଟକୁରାରେ ଡେରା ପକାଇଛନ୍ତି। ଏପଟେ ବିଧାନସଭା ଖାଲି ପଡ଼ିଛି। ଶାସକ ଦଳର ଅଧିକାଂଶ ନେତା ବିଧାନସଭା ଛାଡ଼ି ଏବେ ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।

କେବଳ ବିଜେଡି ନୁହେଁ, ବିଜେପି ଏବଂ କଂଗ୍ରେସ ନେତାଙ୍କର ମଧ୍ୟ ପାଟକୁରାରେ ଭିଡ଼ ଜମିଛି। ନେତା ଘର ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି।

ପାଟକୁରା ବିଜେଡି, ବିଜେପି ଏବଂ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ପାଟକୁରା ଜିତିବା ପାଇଁ ସବୁ ଦଳ ଜୋରଦାର ପ୍ରୟାସ କରୁଛନ୍ତି। ତିନି ଦଳ ଭିତରୁ ବିଜେଡି ଏବଂ ବିଜେପି ଭିତରେ କଡ଼ା ଟକ୍କର ଚାଲିଛି।

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ବେଳେ କେନ୍ଦ୍ରପଡ଼ା ଲୋକସଭା ଯେମିତି ସବୁ ଦଳର ଫୋକସ୍‌ରେ ରହିଥିଲା ଠିକ୍ ସେମିତି ଏବେ ପାଟକୁରା ସମସ୍ତଙ୍କ ଫୋକସ୍‌ରେ ରହିଛି।

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଏବଂ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଭିତରେ କଡ଼ା ଟକ୍କର ହୋଇଥିଲା। ବୈଜୟନ୍ତ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ପରାଜିତ କରିବା ପାଇଁ ବିଜେଡିର ସବୁ ନେତା କେନ୍ଦ୍ରାପଡ଼ାରେ ଡେରା ପକାଇଥିଲେ। ଏପରିକି ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରାପଡ଼ାରେ ଗୋଟିଏ ରାତି ରହି ପ୍ରଚାର କରିଥିଲେ।

ଏବେ ପାଟକୁରାରେ ମଧ୍ୟ ସମାନ ଢଙ୍ଗରେ ପ୍ରଚାର କରୁଛି ବିଜେଡି। ବିଜେଡିର ଡଜନେରୁ ଅଧିକ ନେତା ପାଟକୁରାରେ ଗତ ୧୦ ଦିନ ହେଲା କ୍ୟାମ୍ପ କରି ରହିଛନ୍ତି। ବିଜୟ ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ବିଜେଡି ପାଇଁ ପାଟକୁରା ଚାଲେଞ୍ଜ ହୋଇ ଯାଇଛି।

ପ୍ରତି ପଞ୍ଚାୟତରେ ବିଜେଡିର ନେତାମାନେ ଡେରା ପକାଇଛନ୍ତି। ଗାଁ ଗାଁ ବୁଲି ଲୋକଙ୍କ ସହ ଯୋଡ଼ି ହେଉଛନ୍ତି। ବିଜେଡି ଶାସନର ଲୋକପ୍ରିୟ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ନେତାମାନେ ଭୁବନେଶ୍ୱର ଛାଡ଼ି ପାଟକୁରା ମୁହାଁ ହୋଇଛନ୍ତି।

ଆଜି ବିଧାନସଭାରେ ବିଜେଡିର ପ୍ରାୟ ୪୦ ଜଣ ବିଧାୟକ ଅନୁପସ୍ଥିତ ଥିଲେ। ସେହିପରି ୧୧ ଜଣ ମନ୍ତ୍ରୀ ମଧ୍ୟ ଗୃହରେ ଅନୁପସ୍ଥିତ ଥିଲେ। ବିଜେଡି ବିଧାୟକ ଭୂପିନ୍ଦର ସିଂହ, ପ୍ରଶାନ୍ତ ବେହେରା, ଲତିକା ପ୍ରଧାନ, ରାଜେନ୍ଦ୍ର ସାହୁ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରତାପ ଦେବ, ଅନନ୍ତ ନାରାୟଣ ଜେନା, ପ୍ରଶାନ୍ତ ମୁଦୁଲି, ସୁଧୀର ସାମଲ, ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଅନୁପସ୍ଥିତ ଥିଲେ।

ଏପଟେ ବିଜେପି ଏବଂ କଂଗ୍ରେସର ବିଧାୟକ ମଧ୍ୟ ପାଟକୁରାରେ ପ୍ରଚାର କରୁଛନ୍ତି। ଫଳରେ ବିଧାନସଭା ଖାଁ ଖାଁ ଲାଗୁଛି।

ଆସନ୍ତାକାଲି ନବୀନ କରିବେ ପ୍ରଚାର

ପାଟକୁରାରେ ମାଳମାଳ ବିଜେଡି ନେତା ପ୍ରଚାର ଚଳାଇଥିବା ବେଳେ ଆସନ୍ତାକାଲି ନବୀନ ପାଟକୁରା ନିର୍ବାଚନ ମଇଦାନକୁ ଓହ୍ଲାଇବେ। ପାଟକୁରା ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ରୋଡ ସୋ’ କରି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିବେ ନବୀନ।

Comment