ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନଠୁ ବଳିଗଲା ପାଟକୁରା ଉପ-ନିର୍ବାଚନ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୧୧ ବିଧାନସଭା ଆସନ ପାଇଥିଲେ ମଧ୍ୟ ପାଟକୁରା ଆସନକୁ ହରାଇବାକୁ ଚାହୁଁନି। ପାଟକୁରାରେ ବିଜୟ ବାନା ଉଡ଼ାଇବା ପାଇଁ ବିଜେଡି ପୂରା ଦମ୍‌ରେ ଲାଗି ପଡ଼ିଛି।

ଗତ ୧୫ ଦିନ ହେଲା ପାଟକୁରାରେ ବିଜେଡିର ମାଳ ମାଳ ନେତା ଡେରା ପକାଇଥିବା ବେଳେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ବାରିମୂଳ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ହାଇଟେକ୍‌ ବସରେ ବସି ପ୍ରଚାର କରିଥିଲେ।

ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଳକର ବିଭିନ୍ନ ପଞ୍ଚାୟତ ବୁଲି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପାଇଁ ପ୍ରଚାର କରିଥିଲେ। ବିଭିନ୍ନ ଛକରେ ହାଇଟେକ୍ ବସ୍ ଅଟକୁଥିଲା ଏବଂ ନବୀନ ଭୋଟ ମାଗୁଥିଲେ।

‘‘ଆପଣମାନେ ମତେ ଆଶୀର୍ବାଦ କରନ୍ତୁ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ପାଟକୁରା କଥା ଆଜିଠୁ ମୁଁ ବୁଝିବି’’, ଏହା କହି ନବୀନ ପାଟକୁରାରେ ଆଜି ଭୋଟ ମାଗିଥିଲେ।

ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ମାରାଥନ ପ୍ରଚାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ହାଇଟେକ୍ ବସ୍‌ରେ ନବୀନ ଆଗେ ଆଗେ ଯାଉଥିବା ବେଳେ ଖୋଲା ଗାଡ଼ିରେ ସମର୍ଥକଙ୍କ ସହ ସାବିତ୍ରୀ ଅଗ୍ରୱାଲା ଯାଉଥିଲେ। ଏହାସହ ବିଜେଡିର ବିଧାୟକ ଓ ମନ୍ତ୍ରୀ ମଧ୍ୟ ଏହି ରୋଡ୍‌ ସୋ’ରେ ସାମିଲ ହୋଇଥିଲେ।

ପାଟକୁରା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର। ଶନିବାର ହେବ ଭୋଟ। ପ୍ରଚାର ଶେଷ ହେବାର ଦିନକ ପୂର୍ବରୁ ନବୀନ ପାଟକୁରା ମଇଦାନରେ ପ୍ରଚାର କରି ରାଜନୀତି ପାଣିପାଗକୁ ସରଗରମ କରିଛନ୍ତି।

ପାଟକୁରା ବିଜେଡି ପାଇଁ ସମ୍ମାନର ଲଢ଼େଇ ହୋଇଯାଇଛି। ଏହି ଆସନକୁ କୌଣସି ପ୍ରକାରେ ହାତଛଡ଼ା କରିବାକୁ ଚାହୁଁନି ବିଜେଡି। ଏଣୁ ଗାଁ ଗାଁରେ ନେତାମାନେ ଡେରା ପକାଇଛନ୍ତି।

ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର। ଏପଟେ ବିଜୟ ମଧ୍ୟ ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି।

Comment