ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲିଜ୍‌ ହେଲା ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମିଶନ ମଙ୍ଗଳ’ର ଟ୍ରେଲର। ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିଛନ୍ତି। ଆସନ୍ତା ସ୍ୱାଧିନତା ଦିବସରେ ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଆଜି ‘ମିଶନ ମଙ୍ଗଳ’ର ଟ୍ରେଲର ରିଲିଜ୍‌ ହୋଇଛି।

‘ମିଶନ ମଙ୍ଗଳ’ ଫିଲ୍ମଟି ସତ୍ୟ କାହାଣୀ ଉପରେ ଆଧାରିତ। କିଭଳି ଭାରତର ଦୁଇ ଜଣ ବୈଜ୍ଞାନିକ ରାକେଶ ଧଓ୍ୱନ ଏବଂ ତାରା ସିନ୍ଧେ ନିଜ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହକୁ ସେଟ୍‌ଲାଇଟ୍‌ ଲଞ୍ଚ୍‌ କରିଛନ୍ତି, ଭାରତର ଏହି ସଫଳ ମଙ୍ଗଳ ଯାତ୍ରାର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ମିଶନ ମଙ୍ଗଳ’। ୨.୫୨ ମିନିଟ୍‌ର ‘ମିଶନ ମଙ୍ଗଳ’ର ଏହି ଟ୍ରେଲରକୁ ୨ଘଣ୍ଟାରେ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଏହି ଫିଲ୍ମରେ ଅକ୍ଷୟ କୁମାର ରାକେଶ ଧଓ୍ୱନଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ ତାରା ସିନ୍ଧେ ଭୂମିକାରେ ନଜର ଆସିଛନ୍ତି ବିଦ୍ୟା ବାଲାନ। ଏହା ବ୍ୟତୀତ ଫିଲ୍ମରେ ତାପ୍‌ସୀ ପନ୍ନୁ, ବିଦ୍ୟା ବାଲାନ, ଶରମନ୍ ଜୋଶୀ, କିର୍ତ୍ତୀ କୁହ୍ଲାରୀ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ନିର୍ଦ୍ଦେଶକ ଜଗନ ଶକ୍ତି ‘ମିଶନ ମଙ୍ଗଳ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଏଥର ଅଗଷ୍ଟ ୧୫ରେ ବଲିଉଡ୍‌ ବକ୍ସ ଅଫିସ୍‌ରେ ଜବରଦସ୍ତ ଲଢ଼େଇ ହେବ। କାହିଁକି ନା, ଏହି ଦିନ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ ରିଲିଜ୍‌ ହେଉଛି। ଏହା ବ୍ୟତୀତ ଜନ ଆବ୍ରାହମଙ୍କ ଫିଲ୍ମ ‘ବାଟଲା ହାଉସ୍’ ମଧ୍ୟ ସ୍ୱାଧିନତା ଦିବସରେ ରିଲିଜ ହେବ। ଏଥର ଅଗଷ୍ଟ ୧୫ରେ ସାହୋ, ମିଶନ ମଙ୍ଗଳ ଏବଂ ବାଟଲା ହାଉସ୍‌ ମଧ୍ୟରେ ଜବରଦସ୍ତ ଲଢ଼େଇ ହେବ।

Comment