ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପାଟକୁରାରେ ଚାଲିଛି ‘ସ୍ୱାଭିମାନ’ ଏବଂ ‘ସମ୍ମାନ’ ଭିତରେ ଲଢ଼େଇ। ଏଥର ସ୍ୱାଭିମାନ ଜିତିବ ନା ସମ୍ମାନ ତା’ ଉପରେ ନଜର।

ଆଉ ଦିନକ ପରେ ପାଟକୁରାରେ ହେବ ଭୋଟ। ଆଜି ସରୁଛି ହାଇଭୋଲଟେଜ ପ୍ରଚାର। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ଏବଂ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଭିତରେ ଚାଲିଛି କାଣ୍ଟେ କା ଟକ୍କର। ବିଜେପି ନେତାମାନେ ‘ଏଥର ବିଜୟ’ ସ୍ଲୋଗାନ ଦେଇ ପାଟକୁରା କମ୍ପାଉଥିବା ବେଳେ ବିଜେଡି ବିଜୟଙ୍କ ‘ବିଜୟ’ ରୋକିବା ପାଇଁ ସମରସଜା କରିଛି।

ଏଭଳି ଛକାପଞ୍ଝା ଭିତରେ ମାଟିର ପୁଅ ବିଜୟ ପାଟକୁରାରେ ବିଜେଡିକୁ ରୋକି ପାରିବେ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବିଜୟ ବିଜେଡିକୁ ପାଟକୁରାରେ ଚେକ୍‌ ଦେଉଛନ୍ତି ତାହାଲେ ତାଙ୍କ ୧୯ ବର୍ଷର ବନବାସ ଯୋଗ କଟିବ, ନହେଲେ ପୁଣି ବିଜୟ ବନବାସରେ ହିଁ ରହିଯିବେ ବୋଲି ଚର୍ଚ୍ଚା ହେଉଛି।

ବିଜୟଙ୍କ ପାଇଁ ଶେଷ ସୁଯୋଗ!

‘ଏଥର ବିଜୟ’ – ପାଟକୁରାର ଯେଉଁ ଗାଁକୁ ଯିବ ସେହି ଗାଁ ଛକରେ ଏମିତି ଏକ ପୋଷ୍ଟର ଟଙ୍ଗା ଯାଇଥିବା ଦେଖିବାକୁ ମିଳୁଛିା ଏହି ସ୍ଲୋଗାନ ଲେଖି ବିଜୟଙ୍କ ପାଇଁ ଅନୁକମ୍ପା ଭୋଟ ଆଣିବାକୁ ତାଙ୍କ ସମର୍ଥକମାନେ ଲାଗି ପଡ଼ିଛନ୍ତି। ହେଲେ ବିଜେଡିର ରଣନୀତି ଆଗରେ ବିଜୟଙ୍କୁ କେତେ ଅନୁକମ୍ପା ଭୋଟ ମିଳୁଛି ତାହା କେବଳ ଜୁଲାଇ ୨୪ ଫଳାଫଳ ପରେ ହିଁ ସ୍ପଷ୍ଟ ହେବ।

ଗତ ୧୯ ବର୍ଷ ହେଲା କ୍ଷମତାରେ ନାହାନ୍ତି ବିଜୟ ମହାପାତ୍ର। ବାରମ୍ବାର ନିର୍ବାଚନରେ ପରାଜିତ ହୋଇଛନ୍ତି। ଏହି ପରାଜୟ ପଛରେ ବିଜେଡିର ଷଡ଼ଯନ୍ତ୍ରକୁ ଦାୟୀ କରି ଆସିଛନ୍ତି ନିଜେ ବିଜୟ ଏବଂ ତାଙ୍କ ସମର୍ଥକ। ହେଲେ ଏଥର କିନ୍ତୁ ବିଜୟଙ୍କ ପାଇଁ ଶେଷ ସୁଯୋଗ। ଯଦି ଏଥର ସେ ବିଜେଡିକୁ ପାଟକୁରାରେ ରୋକି ବିଧାନସଭାକୁ ଆସୁଛନ୍ତି ତାହାଲେ ଭଲ କଥା, ନହେଲେ ଭବିଷ୍ୟତରେ ତାଙ୍କୁ ହୁଏତ ନିର୍ବାଚନ ଲଢ଼ିବାର ସୁଯୋଗ ମିଳି ନପାରେ।

ବିଜୟଙ୍କୁ ଏଥର ବିଧାନସଭାକୁ ପଠାଇବା ପାଇଁ ବିଜେପିର ଷ୍ଟାର କ୍ୟାମ୍ପେନରମାନେ ଜୋରଦାର ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ନେତା ବିଜୟଙ୍କ ପାଇଁ ପ୍ରଚାର କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିଜୟଙ୍କ ପାଇଁ କ୍ୟାମ୍ପେନ ଜୋରଦାର ହେଉଛି। ହେଲେ ବିଜୟଙ୍କୁ ଏଥର ପାଟକୁରାବାସୀ ଗ୍ରହଣ କରୁଛନ୍ତି କି ନାହିଁ ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ।

ପାଟକୁରାରେ ସ୍ୱାଭିମାନ ବନାମ ସମ୍ମାନ!

ପାଟକୁରାରେ ବିଜୟ ମହାପାତ୍ର ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ବେଦପ୍ରକାଶ ଅଗ୍ରୱାଲାଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରିଛି। ହେଲେ ଏଠାରେ ବିଜୟ ଏବଂ ସାବିତ୍ରୀଙ୍କ ଭିତରେ ଲଢ଼େଇ ହେଉନି। ପାଟକୁରାର ସ୍ୱାଭିମାନ ପାଇଁ ବିଜୟ ମହାପାତ୍ର ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭିତରେ ଲଢ଼େଇ ହେଉଛି।

ବିଜୟଙ୍କ ସମର୍ଥକମାନେ ‘ସ୍ୱାଭିମାନ’ର କଥା କହି ଭୋଟରଙ୍କ ପାଖକୁ ଯାଉଥିବା ବେଳେ ବିଜେଡି ସମର୍ଥକ ନବୀନଙ୍କ ‘ସମ୍ମାନ’କୁ ପ୍ରସଙ୍ଗ କରିଛନ୍ତି। ଏଠି ସ୍ୱାଭିମାନ ଓ ସମ୍ମାନ ଭିତରେ ଲଢ଼େଇ ହେଉଛି।

ନବୀନଙ୍କ ସମ୍ମାନ ରକ୍ଷା କରିବା ପାଇଁ ପାଟକୁରାର ବିଭିନ୍ନ ପଞ୍ଚାୟତରେ ବିଜେଡିର ମାଳ ମାଳ ନେତା ଡେରା ପକାଇଛନ୍ତି। ଏପଟେ ନିଜେ ନବୀନ ମଧ୍ୟ ପାଟକୁରା ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ତେବେ ସ୍ୱାଭିମାନ ଏବଂ ସମ୍ମାନ ଭିତରେ ଯେଉଁ ଲଢ଼େଇ ଚାଲିଛି ସେଥିରେ କିଏ ବାଜିମାତ୍ କରୁଛି ତାହା ଜୁଲାଇ ୨୪ କହିବ।

ବିଜେଡିର ହାୱା କେମିତି ଭେଦିବେ?

ସାରା ରାଜ୍ୟରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କର ଏକ ହାୱା ବହୁଛି। ଫଳରେ ବିଜେଡି ଆଗରେ ବିରୋଧୀଙ୍କ ରଣନୀତି ଫେଲ୍ ମାରୁଛି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୧୧ ଆସନ ପାଇଛି। ହେଲେ ପାଟକୁରା ଆସନକୁ କୌଣସି ପ୍ରକାରେ ହାତଛଡ଼ା କରିବାକୁ ଚାହୁଁନି ଶାସକ ଦଳ। ଏଥିପାଇଁ ପାଟକୁରାରେ ନେତା ମନ୍ତ୍ରୀ ଛାଇ ଯାଇଛନ୍ତି।

ପାଟକୁରା ଆସନ ହରାଇଲେ ବିଜେଡି ସରକାର ଭାଙ୍ଗିଯିବ ନାହିଁ। ସେହିପରି ପାଟକୁରା ଆସନ ଜିତିଗଲେ କେବଳ ବିଜେଡି ଖାତାରେ ୧୧୧+୧ ଯୋଡ଼ି ହେବ, ତାଛଡ଼ା ଅନ୍ୟ କିଛି ନୁହେଁ। କିନ୍ତୁ ପାଟକୁରା ଆସନ ଦଖଲ କରିବାକୁ ବିଜେଡି ପ୍ରାଣପଣେ ଚେଷ୍ଟା ଚଳାଇଛି। କାରଣ ଏହି ଆସନରେ ‘ସମ୍ମାନ’ ବାଜି ଲାଗିଛି। ଏଣୁ ପାଟକୁରାର ସ୍ୱାଭିମାନ ପାଇଁ ଲଢ଼େଇ କରୁଥିବା ବିଜୟ ମହାପାତ୍ର କେମିତି ବିଜେଡିର ହାୱାକୁ ଭେଦିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ହାତରେ ଆଉ ଗୋଟିଏ ଦିନ ରହିଥିବାରୁ ବିଜୟଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି।

୧୯ ବର୍ଷ ତଳେ ବିଜୟ କେମିତି ବିଦା ହୋଇଥିଲେ ବିଜେଡିରୁ?

ବିଜୟ ମହାପାତ୍ରଙ୍କ ଭଳି ନେତାଙ୍କୁ ରାଜ୍ୟ ରାଜନୀତିରେ ଯଥେଷ୍ଟ ଗୁରୁତ୍ୱ ମିଳିଥାଏ। ହେଲେ ୧୯ ବର୍ଷ ତଳେ ବିଜେଡିରୁ ବିଦା ହେବା ପରେ ଆଜି ପର୍ଯ୍ୟନ୍ତ ସେ କ୍ଷମତା ଅଳିନ୍ଦରୁ ବାହାରେ ରହିଛନ୍ତି। ବହୁ ଉତ୍ଥାନ ପତ୍ତନ ଦେଇ ରାଜ୍ୟ ରାଜନୀତିରେ ତିଷ୍ଠିଥିବା ବିଜୟଙ୍କ ଭାଗ୍ୟ ଏଥର କ’ଣ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

୧୯୮୦ରେ ବିଜୟ ପ୍ରଥମ ଥର ପାଇଁ ପାଟକୁରାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୦ରୁ ୨୦୦୦ ଯାଏଁ ଯେତେ ନିର୍ବାଚନ ହୋଇଛି ସବୁଥିରେ ବିଜୟ ହିଁ ବିଜୟୀ ହୋଇଥିଲେ।

ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜୟ ୨୦୦୦ ମସିହାରେ ବିଜେଡି ଟିକେଟ ପାଇଥିଲେ। ପାଟକୁରାରେ ପ୍ରାର୍ଥିପତ୍ର ଦାକଲ କରି ଭୁବନେଶ୍ୱରରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ। ବିଜୟ ଥିଲେ ବିଜେଡି ସଂସଦୀୟ ବ୍ୟାପାର କମିଟିର ଅଧ୍ୟକ୍ଷ। ବୈଠକ ଚାଲିଥିବା ବେଳେ ଖବର ଆସିଲା ଯେ ବିଜୟଙ୍କ ଟିକେଟ ଖାରଜ ହୋଇ ଯାଇଛି। ନବୀନ ବିଜୟଙ୍କ ଜାଗାରେ ଅତନୁସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରିଛନ୍ତି।

ଏହି ଖବର ଶୁଣିବା ପରେ ବିଜୟଙ୍କ ପାଦ ତଳୁ ମାଟି ଧସି ଯାଇଥିଲା। ପାଟକୁରା ଯାଇ ଆଉ ଥରେ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ସମୟ ନଥିଲା। ଶେଷରେ ବିଜୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କୁ ସମର୍ଥନ କରିଥିଲେ। ତ୍ରିଲୋଚନ ଏବଂ ଅତନୁଙ୍କ ଭିତରେ ଟକ୍କର ହୋଇଥିଲା। ଶେଷରେ ତ୍ରିଲୋଚନ ବିଜୟୀ ହୋଇଥିଲେ।

କଥା ଥିଲା ନିର୍ବାଚନ ପରେ ତ୍ରିଲୋଚନ ଇସ୍ତଫା ଦେବେ ଏବଂ ଆଉ ଥରେ ଉପ-ନିର୍ବାଚନ ହେବ। ବିଜୟ ପ୍ରାର୍ଥୀ ହେବେ। ହେଲେ ତାହା ସମ୍ଭବ ହୋଇ ନଥିଲା। ପରେ ବିଜୟ ଓଜିପି ଗଠନ କଲେ। ୨୦୦୪ ନିର୍ବାଚନରେ ଓଜିପିର ୪ ଜଣ ପ୍ରାର୍ଥୀ ଜିତିଥିଲେ। କିନ୍ତୁ ବିଜୟ ଜିତିପାରି ନଥିଲେ। ଶେଷରେ ଓଜିପି-ଏନସିପିରେ ମିଶିଲା। ବିଜୟ ହେଲେ ରାଜ୍ୟ ସଭାପତି। ହେଲେ ୨୦୦୯ରେ ଏନସିପି ସହ ବିଜେଡିର ମେଣ୍ଟ ହେବାରୁ ବିଜୟ ଏନସିପି ଛାଡ଼ି ବିଜେପି ଆସିଥିଲେ।

୨୦୦୯ରେ ପାଟକୁରାରେ ବିଜେପି ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର। ହେଲେ ତାଙ୍କ ଭାଗ୍ୟ ସାଥ୍ ଦେଲାନି। ସେ ପୁଣି ନିର୍ବାଚନ ହାରିଥିଲେ। ୨୦୧୪ରେ ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ସେଠି ବି ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ଏଥର ବିଜୟ ତାଙ୍କ ପୁରୁଣା ଆସନ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି। ଏଥର ତାଙ୍କ ପାଇଁ ଶେଷ ସୁଯୋଗ। ଏହି ଶେଷ ଲଢ଼େଇରେ ବିଜୟଙ୍କ ସାଥିରେ ପାଟକୁରାବାସୀ ରହୁଛନ୍ତି ନା ନାହିଁ ଦେଖିବାକୁ ବାକି ରହିଲା।

Comment