ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପାଟକୁରାରେ ଶେଷ ହେଲା ନିର୍ବାଚନ ପ୍ରଚାର। ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଗୁରୁବାର ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହୋଇଛି। ଶନିବାର ଭୋଟର ଇଭିଏମ୍‌ରେ ତାଙ୍କ ଜବାବ ଦେବେ। ଆଗାମୀ ୫ ବର୍ଷ ପାଇଁ ପାଟକୁରାବାସୀ କାହାକୁ ଜନପ୍ରତିନିଧି ଭାବେ ବାଛିଛନ୍ତି ତାହା ଜୁଲାଇ ୨୪ରେ ହିଁ ଜଣାପଡ଼ିବ।

ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ। ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗିଥିଲେ।  ତେବେ ଭୋଟର କାହାକୁ ଭୋଟ ଦେଉଛନ୍ତି ତାହା ଦେଖିବାର କଥା।

୧୫ ଦିନ ପୂର୍ବରୁ ଶାସକ ବିଜେଡି ନେତାମାନେ ପାଟକୁରାରେ ଡେରା ପକାଇଥିଲେ। ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଳକର ବିଭିନ୍ନ ପଞ୍ଚାୟତରେ ମାଳ ମାଳ ନେତା, ମନ୍ତ୍ରୀ ଡେରା ପକାଇ ଭୋଟରଙ୍କ ନିକଟତର ହୋଇଥିଲେ। ପ୍ରଚାର ଶେଷ ହେବାର ଦିନକ ପୂର୍ବରୁ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ହାଇଟେକ୍ ବସ୍‌ରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପାଇଁ ପ୍ରଚାର କରିଥିଲେ।

ଏପଟେ ବିଜେପି ବି ପଛରେ ପଡ଼ି ନଥିଲା। ବିଜେପିର ରାଜ୍ୟ ସ୍ତରୀୟ ନେତା ମଧ୍ୟ ପାଟକୁରାରର ବିଭିନ୍ନ ଗାଁରେ ଡେରା ପକାଇ ପ୍ରଚାର କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପାଟକୁରାରେ ପ୍ରଚାର କରିଥିବା ବେଳେ ବରିଷ୍ଠ ନେତା କେଭି ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା ପ୍ରମୁଖ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଗାଁରୁ ଗାଁ ବୁଲି ପ୍ରଚାର କରିଥିଲେ।

ସେହିପରି ପ୍ରଚାରରେ ପଛରେ ପଡ଼ି ଯାଇଥିବା କଂଗ୍ରେସ କିନ୍ତୁ ବାହୁଡ଼ା ପରେ ଜୋରଦାର କ୍ୟାମ୍ପେନ କରିଥିଲା। ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ତିନି ଦଳର ପ୍ରଚାରରେ ପାଟକୁରାର ଗାଁ ଦାଣ୍ଡ କମ୍ପିଥିଲା। ସାଧାରଣ ନିର୍ବାଚନ ତୁଳନାରେ ପାଟକୁରା ନିର୍ବାଚନ ପ୍ରଚାର କୌଣସି ଗୁଣରେ କମ୍ ନଥିଲା।

ପାଟକୁରା ନିର୍ବାଚନରେ ଏଥର ୯ ଜଣ ପ୍ରାର୍ଥୀ ଅଛନ୍ତି। ହେଲେ ମୁଖ୍ୟ ଲଢ଼େଇ ବିଜେଡି, ବିଜେପି ଏବଂ କଂଗ୍ରେସ ଭିତରେ ହେଉଛି। ବିଜେଡି ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବିଜୟ ମହାପାତ୍ର ଏବଂ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।

Comment