ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କର୍ଣ୍ଣାଟକ ବିଧାନସଭାରେ ଆଜି ଆସ୍ଥା ଭୋଟ କରିବାକୁ ସୁପ୍ରିମକୋର୍ଟ ଏବଂ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି। ବାଚସ୍ପତି ଶୁକ୍ରବାର ଦିନ ୧୧ଟା ଯାଏଁ ଗୃହ ମୁଲତବି ରଖିଛନ୍ତି। ଫଳରେ ବିଜେପି ଏହାର ପ୍ରତିବାଦ କରିଛି।

ଆସ୍ଥା ଭୋଟ ନହେବା ଯାଏଁ ବିଜେପି ବିଧାୟକମାନେ ବିଧାନସଭାରେ ରହିବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବି ଏସ୍‌ ୟେଦ୍ୟୁରପ୍ପା କହିଛନ୍ତି।

‘‘ଆସ୍ଥା ଭୋଟକୁ ଜାଣିଶୁଣି ଘୁଞ୍ଚାଇ ଦେଇଛନ୍ତି ବାଚସ୍ପତି। ଆଜି ଆସ୍ଥା ଭୋଟ କରିବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସ୍ୱତନ୍ତ୍ର ପ୍ରତିନିଧି ମଧ୍ୟ ବାଚସ୍ପତିଙ୍କ ପାଖକୁ ପଠାଇଥିଲେ ରାଜ୍ୟପାଳ। ହେଲେ ବାଚସ୍ପତି ଶୁଣିଲେ ନାହିଁ। ଗୃହ ମୁଲତବି ଘୋଷଣା କଲେ। ଆମେ ଏହାର ପ୍ରତିବାଦ କରଛୁ। ଆସ୍ଥା ଭୋଟ ନହେବା ଯାଏଁ ବିଜେପିର ସବୁ ବିଧାୟକ ବିଧାନସଭାରେ ରହିବେ’’, କହିଛନ୍ତି ୟେଦ୍ୟୁରପ୍ପା।

ଗୁରୁବାର ଦିନ ୧୧ଟାରେ ଆରମ୍ଭ ହୋଇଥିଲା କର୍ଣ୍ଣାଟକ ବିଧାନସଭା। କୁମାରସ୍ୱାମୀ ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଆସ୍ଥା ଭୋଟ ଉପରେ ଆଲୋଚନା ହୋଇଥିଲା। ଶାସକ ଦଳର ବିଧାୟକମାନେ ଲମ୍ବା ସମୟ ଧରି ଭାଷଣ ଦେଲେ। ବିଜେପି ପ୍ରଶ୍ନ କଲା ଯେ ଏତେ ଲମ୍ବା ଭାଷଣ କାହିଁକି? ଭାଷଣ କମ୍ କରି ଆସ୍ଥା ଭୋଟ କରିବାକୁ ଦାବି କରିଥିଲା ବିଜେପି।

ସମୟ ଗଡ଼ି ଚାଲିଲା। କିନ୍ତୁ ଆସ୍ଥା ଭୋଟ ହୋଇ ପାରିଲାନି। ଶେଷରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ। ଆଜି ହିଁ ଆସ୍ଥା ଭୋଟ କରିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ। ହେଲେ ବାଚସ୍ପତି ଆସ୍ଥା ଭୋଟ ନକରି ଗୃହ ମୁଲତବି ଘୋଷଣା କରି ଚାଲିଯାଇଥିଲେ।

କର୍ଣ୍ଣାଟକ ବିଧାନସଭାରେ ବାଚସ୍ପତିଙ୍କୁ ମିଶାଇ ମୋଟ ବିଧାୟକଙ୍କ ସଂଖ୍ୟା ହେଉଛି ୨୨୪। ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପାଇଁ କୁମାରସ୍ୱାମୀଙ୍କ ସରକାରକୁ ୧୧୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। କୁମାରସ୍ୱାମୀ ସରକାରଙ୍କ ପାଖରେ ୧୧୬ ବିଧାୟକଙ୍କ ସମର୍ଥନ ରହିଥିଲା। ହେଲେ ୧୬ ବିଧାୟକ ଇସ୍ତଫା ଦେଇଛନ୍ତି। ଯଦି ଏହି ୧୬ ବିଧାୟକ ଆସ୍ଥା ଭୋଟ ବେଳେ ଅନୁପସ୍ଥିତ ରୁହନ୍ତି ତାହାଲେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ପାଇଁ ଅସୁବିଧା ହୋଇଯିବ। ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିବ।

Comment