ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ ବେଳେ ବାରିମୂଳଠାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବାକୁ ନେଇ ଚାରିଆଡ଼େ ପ୍ରତିବାଦର ସ୍ୱର ତେଜିଛି। କେନ୍ଦ୍ରାପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ଏସ୍‌ପିଙ୍କ ଏହି ଅଚରଣକୁ ନିନ୍ଦା କରିଛନ୍ତି।

କେନ୍ଦ୍ରାପଡାର ଗଣମାଧ୍ୟମ ପ୍ରତିନିଧିମାନେ କଳା ବ୍ୟାଜ ପିନ୍ଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ କେନ୍ଦ୍ରାପଡା ଗଣମାଧ୍ୟମର ପ୍ରତିନିଧିମାନେ।

ସାମ୍ଵାଦିକଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଓ ଏସପିଙ୍କୁ ତୁରନ୍ତ ଜିଲ୍ଲାରୁ ବଦଳି କରିବାକୁ ଦାବି କରିଥିଲେ ସାମ୍ବାଦିକ।

ଖାଲି କେନ୍ଦ୍ରାପଡ଼ା ନୁହେଁ, ଅନୁଗୁଳରେ ମଧ୍ୟ ପ୍ରତିବାଦ କରିଛନ୍ତି ସାମ୍ବାଦିକ। ସାମ୍ଵାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଅନୁଗୁଳ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସହିପରି କଟକ ସହରର ଗଣମାଧ୍ୟମ ପ୍ରତିନିଧିମାନେ ଏହି ଘଟଣାକୁ ନିନ୍ଦା କରି ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କ ନିକଟରେ ଦାବି କରିଛନ୍ତି।

ଭୁବନେଶ୍ୱରରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ରାଜରାସ୍ତାକୁ ଓହ୍ଲାଇ ଘଟଣାର ପ୍ରତିବାଦ କରିଥିଲେ। ଭୁବନେଶ୍ ପିଏମଜିରେ ଧାରଣା ଦେବା ସହ ସନ୍ଧ୍ୟାରେ ପୋଲିସ ଡିଜିଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ଏହାଛଡା ବାଲେଶ୍ଵର, ଖୋର୍ଦ୍ଧା, ଢେଙ୍କାନାଳ, ସୁନ୍ଦରଗଡ ଆଦି ଜିଲ୍ଲାମାନଙ୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାକୁ ଦୃଢ ନିନ୍ଦା କରିବା ସହ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଗୋଇଠା ମାରି ବିଷ୍ଣୁ

ଗୋଇଠା ମାରି ବିଷ୍ଣୁ କହିବା ନ୍ୟାୟରେ କେନ୍ଦ୍ରାପଡ଼ା ଏସ୍‌ପି ଆଜି ହ୍ୱାଟସ୍‌ଆପ୍‌ ମେସେଜ ଜରିଆରେ କ୍ଷମା ମାଗିଛନ୍ତି।

ସେ ଏହି ମେସେଜ ଜରିଆରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ଲୋକ ବାରିକେଡ ମଧ୍ୟକୁ ପସିବାକୁ ଉଦ୍ୟମ କରୁଥିଲେ। ସେ ଲୋକମାନଙ୍କୁ ବାରଣ କରିଥିଲେ। ବାଜା ଓ ଲାଉଡ ସ୍ପିକର ଯୋଗୁ ତାଙ୍କୁ ଚଢାଗଳାରେ ଭିଡ଼ ନିୟନ୍ତ୍ରଣ କରିବାକୁ ପଡିଥିଲା। ତାଙ୍କର ସାମ୍ଵାଦିକମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଥିବା ସେ କହିଛନ୍ତି। ଯଦି ତାଙ୍କର ବ୍ୟବହାର କାହାକୁ ଦୁଃଖ ଦେଇଥାଏ ତେବେ ସେଥିପାଇଁ ସେ କ୍ଷମା କରିବାକୁ ନିବେଦନ କରିଛନ୍ତି।

Comment