ଓଡ଼ିଶାଲାଇଭ ବ୍ୟୁରୋ

ପୂର୍ବରୁ ପାଣିପାଗର ସଠିକ୍ ସୂଚନା ପାଇଁ ପାରାଦୀପ ଓ ଗୋପାଳପୁରରେ ଡପଲର ରାଡାର୍ ରହିଛି। ବର୍ତ୍ତମାନ ସମ୍ଵଲପୁର ଓ ବାଲେଶ୍ଵରରେ ମଧ୍ୟ ଡପଲର ରାଡାର୍ ବସିବ ବୋଲି ସରକାର ଘୋଷଣା କରିଛନ୍ତି।

ସଠିକ୍ ଓ ଆଗୁଆ ପାଣିପାଗ ସୂଚନା ପାଇଁ ଓଡ଼ିଶା ସରକାର ବାଲେଶ୍ଵର ଓ ସମ୍ଵଲପୁରରେ ଡପଲର ରାଡାର୍ ସ୍ଥାପନ କରିବେ। ଏନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି।

ଗୁରୁବାର ସଦନରେ ପ୍ରାକୃତିକ ବିପର୍ଯ୍ୟକୁ ମୁକାବିଲା କରିବାକୁ ସରକାର କ’ଣ ପଦକ୍ଷେପ ନେଉଛନ୍ତି ବିଧାୟକ ଅଶ୍ଵିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ”ପୂର୍ବରୁ ପାଣିପାଗର ସୂଚନା ପାଇଁ ଗୋପାଳପୁର ଓ ପାରାଦୀପରେ ଡପଲର ରାଡାର୍ ରହିଛି। ଯେଉଁଥିରେ ମୌସୁମୀ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ମିଳି ପାରିବ। ଏହାସହ ବାଲେଶ୍ଵର ଓ ସମ୍ବଲପୁରରେ ଡୋପଲର ରାଡାର ବସାଇବାର ଯୋଜନା ରହିଛି। ଯାହାକି ବାତ୍ୟା ସମୟରେ ପବନର ଦିଗ ଉପରେ ନଜର ରଖିବ। ବାତ୍ୟା ଫନି ସମୟରେ ୫୮ଟି ସାଟେଲାଇଟ ଫୋନ କିଣାଯାଇ ୩୦ ଜିଲ୍ଲାର ଜିଲ୍ଲାପାଳ, ଓଡ୍ରାଫ, ଅଗ୍ନିଶମ ବିଭାଗ ଓ କମିସନରେଟ ପୋଲିସଙ୍କୁ ଦିଆଯାଇଛି।”

ଏହାସହ ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ନୂଆ ଜ୍ଞାନ କୌଶଳ ପ୍ରୟୋଗ ବିଷୟରେ ଯତ୍ନବାନ ଅଛନ୍ତି। ବଜେଟରେ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସ୍ଵତନ୍ତ୍ର ମୋବାଇଲ ଆପର ମଧ୍ୟ ବିକାଶ କରାଯାଇଛି ମନ୍ତ୍ରୀ କହିଛନ୍ତି।

Comment