ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତାକାଲି ପାଟକୁରାରେ ହେବ ଭୋଟ୍। ପାଟକୁରରେ ବିଜୟ ବାନା ଉଡ଼ାଇବା ପାଇଁ ବିଜେଡି ପୂରା ଦମ୍‌ରେ ଲାଗିଛି। ଗତ ଦୁଇ ଦିନ ଧରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ସୋସିଆଲ ମିଡିଆରେ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ପାଇଁ ଅପିଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆଜି ସକାଳୁ ନବୀନ ପାଟକୁରାବାସୀଙ୍କ ଉଦ୍ଦେଶ୍ୟରେ ଏକ ଟୁଇଟ୍‌ କରିଛନ୍ତି। ସେ ନିଜ ଟୁଇଟର୍‌ରେ ଲେଖିଛନ୍ତି, ‘‘ଆପଣମାନେ ଦେଇଥିବା ସମର୍ଥନ ଓ ଭଲପାଇବା ଆମକୁ ସବୁବେଳେ ପ୍ରେରଣା ଯୋଗାଇ ଆସିଛି। ପାଟକୁରା ନିର୍ବାଚନ ପାଇଁ ମୁଁ ଆପଣମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରିଛି। ତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ନୂଆ ଓଡ଼ିଶା ଗଠନ ପାଇଁ ଆମ ହାତମୁଠାକୁ ଆହୁରି ଟାଣ କରନ୍ତୁ।’’

ଏହା ପୂର୍ବରୁ ନବୀନ ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଳକର ବିଭିନ୍ନ ପଞ୍ଚାୟତ ବୁଲି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପାଇଁ ପ୍ରଚାର କରିଥିଲେ। ବିଭିନ୍ନ ଛକରେ ହାଇଟେକ୍ ବସ୍ ଅଟକୁଥିଲା ଏବଂ ନବୀନ ଭୋଟ ମାଗୁଥିଲେ।

ପାଟକୁରା ବିଜେଡି ପାଇଁ ସମ୍ମାନର ଲଢ଼େଇ ହୋଇଯାଇଛି। ଏହି ଆସନକୁ କୌଣସି ପ୍ରକାରେ ହାତଛଡ଼ା କରିବାକୁ ଚାହୁଁନି ବିଜେଡି। ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର।

Comment