ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।

‘‘ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ, କେରଳର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଅକସ୍ମାତ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମୁଁ ପ୍ରାର୍ଥନା କରୁଛି’’, ଟୁଇଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶୀଲା ଦୀକ୍ଷିତଙ୍କର ୮୧ ବର୍ଷ ବୟସରେ ଦିଲ୍ଲୀର ଏସ୍କର୍ଟ ହସ୍ପିଟାଲରେ  ମୃତ୍ୟୁ ଘଟିଛି। କିଛି ଦିନ ହେବ ଶୀଲା ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୩ଥର ଅର୍ଥାତ ୧୫ ବର୍ଷ କାଳ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ଦିଲ୍ଲୀରେ ତାଙ୍କ ଶାସନ କାଳରେ ତାଙ୍କ ସମୟରେ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଚାଲିବା ସହ ଅନେକ ଭିତ୍ତିଭୂମିର ବିକ‌ାଶ ହୋଇଥିଲା।

୨୦୧୪ରେ ୫ ମାସ ପାଇଁ କେରଳର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ। ୟୁପି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ବେଶ୍ ଜଣାଶୁଣା ଥିଲେ। ଗତ ନିର୍ବାଚନରେ ତାଙ୍କୁ ଉତ୍ତର ପୁର୍ବ ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କରିଥିଲା।  ଏଥିସହ ସହ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସେ ସଭାନେତ୍ରୀ ଥିଲେ।

ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

Comment