ଭାସ୍କର ପରିଚ୍ଛା

ଓଡ଼ିଶାର ନିର୍ବାଚନ ଇତିହାସରେ ଆଜି ଏକ ଅଭୂତପୂର୍ବ ଘଟଣା ହେବାକୁ ଯାଉଛି। ସ୍ୱାଧୀନତା ପରେ ସମ୍ଭବତଃ କେବେ ବି ଏହିଭଳି ଏକ ନିର୍ବାଚନ ଓଡ଼ିଶାରେ ହୋଇନଥିଲା, କି ଆଗକୁ କେବେ ହେବ। ଗୋଟିଏ ନିର୍ଦ୍ଦିଷ୍ଟ ଉପନିର୍ବାଚନକୁ ନେଇ ଏତେ ଉତ୍ସାହ,ଏତେ କୋଳାହଳ, ଏତେ ଭିଡା -ଓଟରା, ଏତେ କଳ୍ପନା ଜଳ୍ପନା, ଏତେ ପ୍ରତିଯୋଗିତା ପୂର୍ବରୁ କେବେ ହୋଇନଥିଲା। ଯେଉଁମାନେ ଓଡ଼ିଶାର ରାଜନୈତିକ ଇତିହାସ ଲେଖିବେ ସେହି ପୁସ୍ତକରେ ପାଟକୁରା ନିର୍ବାଚନ ନିଶ୍ଚିତ ଭାବରେ ଗୋଟିଏ ପୂରା ଅଧ୍ୟାୟ ହେବ।

ଅଯଥା ଗୁରୁତ୍ୱ

ଏମିତି ଦେଖିବାକୁ ଗଲେ ପାଟକୁରା ଉପନିର୍ବାଚନର ଗୁରୁତ୍ୱ ଏତେ ନୁହେଁ ଯେତେ ମାତ୍ରାରେ ଏହାକୁ କରି ଦିଆଯାଇଛି। ଅବଶ୍ୟ ଘଟଣାଚକ୍ରରେ ପାଟକୁରା ନିର୍ବାଚନ ବାରମ୍ବାର ଘୁଞ୍ଚିଛି। ନହେଲେ ତ ବୈଜୟନ୍ତଙ୍କ ସହ ବିଜୟଙ୍କ ଭାଗ୍ୟ ପରୀକ୍ଷା ହୋଇ ସାରିଥାନ୍ତା। ଚାରି ଦିନ ପରେ ଯେତେବେଳେ ନିର୍ବାଚନର ଫଳ ପ୍ରକାଶ ପାଇବ କଣ ହେବ?ନିଶ୍ଚିତ ଭାବରେ ଯିଏ ବି ଜିତନ୍ତୁ ଆକାଶ ଯେ ଖସି ପଡ଼ିବ ସେହିଭଳି କଥା ଆଦୌ ନୁହଁ।
ଅନୁମାନ କରାଯାଉ, ଶାସକ ବିଜେଡିର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଜିତିବେ। ତାଙ୍କର ବିଜୟରେ କେବଳ ଗୋଟିଏ କଥା ହେବ ଯେ ବିଧାନସଭାରେ ଶାସକ ଦଳର ସଦସ୍ୟ ସଂଖ୍ୟା ୧୧୮ରୁ ୧୧୯କୁ ବୃଦ୍ଧି ପାଇବ। ସାବିତ୍ରୀ ଦେବୀଙ୍କ ବୟସ ଯାହା ଜଣେ ବିଧାୟିକା ହିସାବରେ ସେ ଏହି ନିର୍ବାଚନ ମଣ୍ଡଳୀରେ ବେଶ୍  କିଛି କାମ କରିପକାଇବେ  ସେଭଳି କିଛି ଦେଖା ଯାଉନାହିଁ।

ଟିଭି କ୍ୟାମେରା ଆଗରେ କେହି ଜଣେ କହିବା ଶୁଣା ଯାଉଥିଲା, ‘କିଏ କଣ କରି ପକାଇଛନ୍ତି ଯେ ଏମାନେ ଆସିଲେ ସବୁ ଓଲଟାଇ ପକାଇବେ।’ ତେବେ, ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ସେ ନିଜେ ଏହି ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ବିକାଶ ଦାୟିତ୍ୱ ନେବେ, ହୁଏତ ପାଟକୁରା ସରକାରୀ ଅଧିକାରୀଙ୍କ ଫୋକସରେ ରହିବା ହେଲେ ଏମିତି ଦେଖିବାକୁ ଗଲେ ସମସ୍ତ ୧୧୯ ନିର୍ବାଚନମଣ୍ଡଳୀ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋଙ୍କ ନିଜର। ସୁତରାଂ ଏହା ଏକ ଅନାବଶ୍ୟକ ଯୁଦ୍ଧ ଓ ରାଜନୈତିକ ଅତିରଞ୍ଜନର ଉତ୍କୃଷ୍ଟ ଉଦାହରଣ।

ବ୍ୟକ୍ତିଗତ ଗୁମର

ଅପରନ୍ତୁ, ଧରାଯାଉ ପାଟକୁରାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଜିତୁଛନ୍ତି। ସେ ବିଜୟ ହୋଇ ଆସିଲେ ଗୃହ ଆଉ ଚାଲିବ ନାହିଁ ବୋଲି ଯାହା କୁହାଯାଉଛି, ତାହା ବି ଅତ୍ୟନ୍ତ ବେହିଆମୀ। ନବୀନ ପଟ୍ଟନାୟକ ସରକାରଙ୍କର ଓ ନବୀନଙ୍କ ବ୍ୟକ୍ତିଗତ ଗୁମର ବିଜୟ ଖୋଲିବେ ବୋଲି ଯେଉଁ ଜନରବ ଚାଲିଛି ତାହା ବାସ୍ତବତା ଠାରୁ ବହୁ ଦୂରରେ। ନବୀନ ବର୍ତ୍ତମାନ ପରିଣତ ବୟସରେ ଓ ସମ୍ଭବତଃ ୨୦୧୯  ତାଙ୍କର ଶେଷ ନିର୍ବାଚନ।

ତା’ ଛଡ଼ା, ବିଗତ ଏକ ମାସ ଭିତରେ ମହାନଦୀରେ ଅନେକ ପାଣି ବୋହି ଯାଇଛି ଏବଂ ଉଭୟ ଶାସକ ଦଳ(ବିଜେଡ଼ି ଓ ବିଜେପି)  ପରସ୍ପରକୁ ଏବେ ବନ୍ଧୁ ବୋଲି ବିବେଚନା କରୁଛନ୍ତି। ଏହି ପରିସ୍ଥିତିରେ ବିଜୟ ଦଳର ସ୍ୱାର୍ଥ ଓ ହୁକୁମ ଦୃଷ୍ଟିରୁ ନବୀନ ସରକାରଙ୍କ ବିରୁଦ୍ଧରେ ସେଭଳି କିଛି ବିସ୍ଫୋରକ କଥା କହିବେ ସେହି ସମ୍ଭାବନା ନାହିଁ।

ଅହି-ନକୁଳ ସମ୍ପର୍କ

ବାକି ରହିଲା ନବୀନ ଓ ବିଜୟଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ଶତ୍ରୁତା। ଏହା ସତ କଥା ଯେ ବିଗତ ୨୦ ବର୍ଷ ଧରି ନବୀନଙ୍କ ପସନ୍ଦ ନେତାଙ୍କ ତାଲିକାରେ ବିଜୟ କେବେ ବି ରହିନାହାନ୍ତି। ୨୦୦୦ ମସିହା ପରଠାରୁ ପ୍ରତିଟି ବିଧାନସଭା ନିର୍ବାଚନରେ ବିଜୟଙ୍କୁ ହରାଇବା ପାଇଁ ନବୀନ ଓ ତାଙ୍କ ପାରିଷଦ ବର୍ଗ ପକ୍ଷରୁ ନାନା ରକମର ଯୋଜନା ଓ ଷଡ଼ଯନ୍ତ୍ର ରଚନା କରାଯାଇଆସିଛି। ଏବଂ ଦୁଇ ହଜାର ମସିହା ପରଠାରୁ ବିଜୟ ଗୋଟିଏ ବି ନିର୍ବାଚନ ଜିତି ପାରିନାହାନ୍ତି। ଏହାର କାରଣ ହେଉଛି ବିଜୟ ଲଢ଼ୁଥିବା ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ନିର୍ବାଚନ ସମୟରେ ଅଧିକ ଲୋକ ନିୟୋଜିତ ହୋଇଛନ୍ତି, ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି। ଉଦ୍ଦେଶ୍ୟ ଗୋଟିଏ: ଅଠଷଟି ବର୍ଷୀୟ ମହାପାତ୍ରଙ୍କୁ ଯେ କୌଣସି ପ୍ରକାର କ୍ଷମତାର ବଳୟ ବାହାରେ କହିବାକୁ ହେବ।

ଏଥର ମଧ୍ୟ ସେୟା ହୋଇଛି। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ହାଇ ଭୋଲଟେଜ ପ୍ରଚାର ବ୍ୟତୀତ ଶତାଧିକ ମନ୍ତ୍ରୀ ଓ ବିଧାୟକ ପାଟକୁରାରେ ଡେରା ପକାଇଛନ୍ତି। ଅବଶ୍ୟ ବିଜେପି ବି ଏଥିରେ ପଛରେ ନାହିଁ। ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟତୀତ ଏଠାକାର ପୂର୍ବ ସାଂସଦ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ବହୁ ନେତା ପାଟକୁରାରେ ବିଜୟଙ୍କ ପାଇଁ ପ୍ରଚାର ଚଳାଇଥିଲେ।

ଉପସଂହାର

ପାଟକୁରା ଉପନିର୍ବାଚନରେ ଯଦି ବିଜୟ ମହାପାତ୍ର ପରାଜିତ ହୁଅନ୍ତି ଏହା ତାଙ୍କର ଶେଷ ନିର୍ବାଚନ ହେବ। କିନ୍ତୁ ସେ ଯଦି ଜିତନ୍ତି ତାଙ୍କ ଭୂମିକା କଣ ହେବ ତାହା ଆମକୁ ଅପେକ୍ଷା କରି ଦେଖିବାକୁ ପଡ଼ିବ। ତେବେ ବିଜୟ ଓ ନବୀନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ତଳେ ଯେଉଁ ଫାଟ  ସୃଷ୍ଟି ହେଲା ତାହାର ଓ ବିଜୟଙ୍କ ପ୍ରତି ନବୀନ ପଟ୍ଟନାୟକଙ୍କ ଭୟ ଓ ଘୃଣା ଏ ଦୁଇଟିର ପ୍ରକୃତ କାରଣ କ’ଣ ସେ କଥା କଦାପି ପଦାକୁ ଆସିବ ନାହିଁ।
ଏହି ଅହି-ନକୁଳ ସମ୍ପର୍କର ଖିଅ ଖୋଜି ପାଇବା ଅତ୍ୟନ୍ତ କଷ୍ଟକର ଓ ଏହା ବ୍ୟକ୍ତି ବ୍ୟକ୍ତି ଭିତରେ ସୀମିତ। ତେବେ ଆମେ କେବଳ ଏତିକି ନିଶ୍ଚିତ ଭାବେ ଜାଣୁ ଯେ ବିଜୟ ହେଉଛନ୍ତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଓ ସେ ଏବଂ ଦିଲୀପ ରାୟ ହିଁ ରାଜନୀତିରେ ଅନଭିଜ୍ଞ ନବୀନଙ୍କୁ ଦିଲ୍ଲୀରୁ ଆଣି ଓଡ଼ିଶାରେ ରାଜାଭିଷେକ କରାଇଥିଲେ।

(ଲେଖକ ଜଣେ ବରିଷ୍ଠ ସାମ୍ୱାଦିକ ଓ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment