ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପାଟକୁରା ବିଧାନସଭା ଆସନ ପାଇଁ ଭୋଟ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା। ଭୋଟର ଉତ୍ସାହର ସହ ବୁଥ୍‌କୁ ଆସି ଭୋଟ ଦେଇଥିଲେ।

ଇଭିଏମ୍‌ରେ ସୁଇଚ ଟିପି ଭୋଟର ଆଜି ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିଛନ୍ତି। ଆସନ୍ତା ୨୪ରେ ଜଣାପଡ଼ିବ ପାଟକୁରା ଭୋଟର କାହାର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି।

୩୦୯ ବୁଥରେ ପଡ଼ିଲା ଭୋଟ

ମତଦାନ ପାଇଁ ପାଟକୁରାରେ ହୋଇଥିଲା ୩୦୯ଟି ବୁଥ୍। ଭୋର ୫ଟାରୁ ମକ୍ ପୋଲିଂ ଶେଷ ହେବା ପରେ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ଆରମ୍ଭରୁ ତିନୋଟି ବୁଥରେ ଇଭିଏମରେ ସାମାନ୍ୟ ତ୍ରୁଟି ଦେଖିବାକୁ ମିଳିଥିଲା। ଫଳରେ କିଛି ସମୟ ପାଇଁ ମତଦାନ ବିଳମ୍ବ ହୋଇଥିଲା। ଇଭିଏମ୍ ସଜଡ଼ା ହେବା ପରେ ପୁଣି ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିଲା। ଏହାସହ ସକାଳୁ ବର୍ଷା ହେବାରୁ କିଛି ସ୍ଥାନରେ ମତଦାନ ଧିମେଇ ଯାଇଥିଲା।

ସକାଳ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୧ଟା ସୁଦ୍ଧା ୪୨, ଅପରାହ୍‌ଣ ୩ଟା ସୁଦ୍ଧା ୬୧ ଏବଂ ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଥିଲା।

‘‘‘ସକାଳ ୭ଟାରୁ ପାଟକୁରାରେ ମତଦାନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିଥିଲା। ସନ୍ଧ୍ୟା ୬ଟା ପରେ ଯେଉଁମାନେ ଭୋଟ ଦେବା ପାଇଁ ଧାଡ଼ିରେ ଥିବେ ସେମାନେ ମଧ୍ୟ ଭୋଟ ଦେଇଥିଲେ। ବିଭିନ୍ନ ବୁଥରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି’’, କହିଛନ୍ତି ସୁରେନ୍ଦ୍ର କୁମାର।

ପାଟକୁରାରେ ୧୦ ପ୍ରାର୍ଥୀ

ପାଟକୁରା ନିର୍ବାଚନ ମଇଦାନରେ ଥିଲେ ୧୦ ପ୍ରାର୍ଥୀ। ଏହି ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଭୋଟର ଇଭିଏମ୍‌ରେ ସିଲ୍ କରିଛନ୍ତି। ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ମୁଖ୍ୟ ଲଢ଼େଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ଭିତରେ ହୋଇଥିଲା। ଏହି ତିନି ଜଣଙ୍କ ଭିତରୁ କାହା ହାତରେ ଆଗାମୀ ୫ ବର୍ଷ ଯାଏଁ ପାଟକୁରାର ଦାୟିତ୍ୱ ଭୋଟର ଦେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବିଜୟ-ବିଜେଡି ଭିତରେ କଡ଼ା ଟକ୍କର

ପାଟକୁରା ନିର୍ବାଚନ ମଇଦାନ ଏଥର ହାଇଭୋଲଟେଜ ପ୍ରଚାର ଦେଖିଛି। ଉଭୟ ବିଜେଡି ଏବଂ ବିଜେପି ଏହି ଆସନରେ ସମ୍ମାନର ଲଢ଼େଇ ଲଢ଼ିଛନ୍ତି। ବିଜେପି ଏଥର ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେଡି ତାଙ୍କୁ ଚେକ୍ ଦେବା ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରିଥିଲା। ଗାଁ ଗାଁରେ ନେତା ମନ୍ତ୍ରୀ ଡେରା ପକାଇଥିଲେ। ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପାଇଁ ପ୍ରଚାର କରିଥିଲେ।

ସେହିପରି ବିଜେପି ମଧ୍ୟ ପଛରେ ପଡ଼ି ନଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବିଜୟଙ୍କ ପାଇଁ ପ୍ରଚାର କରିଥିଲେ। ତେବେ ପାଟକୁରାବାସୀ ବିଜୟ ନା ବିଜେଡି କାହା ସପକ୍ଷରେ ମତ ସାବ୍ୟସ୍ତ କରିଛନ୍ତି ତାକୁ ହିଁ ସମସ୍ତଙ୍କର ଅପେକ୍ଷା।

‘‘ପାଟକୁରା ନିର୍ବାଚନ ପାଟକୁରା ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ୧୯ ବର୍ଷ ହେଲା ପାଟକୁରା ଯାହା ହୋଇଛି ସେଥିରେ ହେବ ପରିବର୍ତ୍ତନ। ପାଟକୁରାବାସୀ ମନସ୍ଥିର କରି ସାରିଛନ୍ତି ଏଥର ସେ କାହାକୁ ତାଙ୍କ ପ୍ରତିନିଧି କରିବେ। ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ନିଶାରେ ଅଛନ୍ତି ସେଥିଲାଗି ସେ କିଛି ଦେଖିପାରୁ ନାହନ୍ତି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର।

‘‘ପାଟକୁରାବାସୀ ସବୁବେଳେ ବିକାଶ ସହ ଯୋଡ଼ି ହୋଇ ରହିଛନ୍ତି। ବିଜେଡି ଶାସନ ଅମଳରେ ପାଟକୁରାରେ ଅନେକ ବିକାଶମୂଳକ କାମ ହୋଇଛି। ବିକାଶ ପାଇଁ ପାଟକୁରାବାସୀ ମତେ ପୂର୍ଣ୍ଣ ସହଯୋଗ କରିବେ’’, କହିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା।

ଗତ ଏପ୍ରିଲ ୨୩ରେ ପାଟକୁରା ବିଧାନସଭା ଆସନ ପାଇଁ ହୋଇଥାନ୍ତା ଭୋଟ। ହେଲେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତ ହେବାରୁ ନିର୍ବାଚନ ସ୍ଥଗିତ ରହିଥିଲା। ପରେ ଫନି ବାତ୍ୟା ପାଇଁ ମଧ୍ୟ ନିର୍ବାଚନ ଘୁଞ୍ଚିଥିଲା।

Comment