ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ରାଜନୀତିରେ ଯେଉଁ କେତେ ଜଣ ମହିଳା ଆଗ ଧାଡ଼ିରେ ଥିଲେ ସେମାନଙ୍କ ମଧ୍ୟରେ ଶୀଲା ଦୀକ୍ଷିତ ଅନ୍ୟତମ। ଯେଉଁ ସମୟରେ ନାରୀ ରାଜନୀତିକୁ ଆସିବା ପାଇଁ ଉଚିତ ମନେ କରୁନଥିଲେ ସେହି ସମୟରେ ଶୀଲା ରାଜନୀତିରେ ପାଦ ଦେଇ ସଫଳତାର ପାହାଚ ଚଢ଼ିଥିଲେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ, କେରଳର ରାଜ୍ୟପାଳ ଏବଂ ପିସିସି ସଭାପତି ଭାବେ ଦକ୍ଷତାର ସହ କାମ କରି ଶୀଲା କଂଗ୍ରେସ ରାଜନୀତିରେ ନିଜର ଦବଦବା ଜାହିର କରିଥିଲେ। ହେଲେ ଆଜି ଏସବୁର ଯବନିକା ପଡ଼ିଛି। ଦିଲ୍ଲୀର ଏସକର୍ଟ ହସ୍ପିଟାଲରେ ଶୀଲାଙ୍କର ଦେହାନ୍ତ ହୋଇଛି।

ଶୀଲାଙ୍କ ଦେହାନ୍ତରେ ରାଜନୀତିକ ଜଗତରେ ଶୋକର ଛାୟା ଖେଳି ଯାଇଛି। ଦିଲ୍ଲୀ ପାଇଁ ଶୀଲାଙ୍କ ଅବଦାନକୁ ଆଜି ସମସ୍ତେ ମନେପକାଉଛନ୍ତି। ଜାଣନ୍ତୁ ଏକ ରକ୍ଷଣଶୀଳ ପରିବାରରୁ ସକ୍ରିୟ ରାଜନୀତିକୁ ଆସିଥିବା ଶୀଲା ଦୀକ୍ଷିତଙ୍କ ସଫଳ ଜୟଯାତ୍ରା ସମ୍ପର୍କରେ।

୧୯୩୮ ମାର୍ଚ୍ଚ ୩୧ରେ ପଞ୍ଜାବର କାପୁରଥାଲାର ଏକ କ୍ଷତ୍ରୀୟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶିଲା କପୁର(ବିବାହ ପୂର୍ବରୁ ତାଙ୍କ ନାଁ ଶିଲା କପୁର)। ସେ ଦିଲ୍ଲୀର କନଭର୍ଟ ଅଫ ଜିସସ୍ ଆଣ୍ଡ ମ୍ୟାରି ସ୍କୁଲରେ ନିଜ ଶିକ୍ଷା ଆରମ୍ଭ କରିଥିଲେ। ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଗ୍ରାଜୁଏସନ ଶେଷ କରିଥିଲେ।

ଶୀଲା ଦୀକ୍ଷିତଙ୍କ ବିବାହ ପଶ୍ଚିମବଙ୍ଗର ପୂର୍ବ ରାଜ୍ୟପାଳ ଉମା ଶଙ୍କର ଦୀକ୍ଷିତଙ୍କ ପୁଅ ବିନୋଦ ଦିକ୍ଷୀତଙ୍କ ସହ ହୋଇଥିଲା। ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦିପ ଦୀକ୍ଷିତ ପୂର୍ବ ଦିଲ୍ଲୀର ପୂର୍ବତନ ସାଂସଦ ରହିଥିଲେ।

୧୯୮୪ରୁ ରାଜନୀତିକ ଯାତ୍ରା

ପରେ ଶୀଲା ଦୀକ୍ଷିତ ତାଙ୍କ ରାଜନୀତି କ୍ୟାରିୟର ୧୯୮୪ ମସିହାରେ ଆରମ୍ଭ କରିଥିଲେ। ୧୯୮୪ରୁ ୧୯୮୯ ମସିହା ପର୍ଯ୍ୟନ୍ତ ସେ ଉତ୍ତରପ୍ରଦେଶର କାନୁଜର ସାଂସଦ ରହିଥିଲେ। ଏହା ମଧ୍ୟରେ ସେ ମିଳିତ ରାଷ୍ଟ୍ର ସଂଘରେ ଭାରତରୁ ମହିଳାମାନଙ୍କ ପାଇଁ ୫ବର୍ଷ ପ୍ରତିନିଧିତ୍ଵ କରିଥିଲେ। ପରେ ୧୯୮୬ରୁ ୧୯୮୯ ମଧ୍ୟରେ ସେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଓ ପରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

୧୯୭୦ ମସିହାରେ ମହିଳା ଆସୋସିଏସନର ଚେୟାରମ୍ୟାନ ଥିବା ସମୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ଏକ ଆନ୍ଦୋଳନ ମାଧ୍ୟମରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନ ଯୋଗୁଁ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା।

ପରେ ୧୯୯୮ ମସିହାରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ। ମୁଖ୍ୟମନ୍ତ୍ରୀ ରହିବା ସମୟରେ ସେ ଦିଲ୍ଲୀର ଗୋଲେ ବଜାର ବିଧାନସଭରୁ ପ୍ରତିନିଧିତ୍ଵ କରିଥିଲେ। ୨୦୧୩ ନିର୍ବାଚନରେ ଦୀକ୍ଷିତ ପରାଜିତ ହେବା ପରେ ଆମ ଆଦମି ପାର୍ଟିର ଅରବିନ୍ଦ କଜ୍ରିଓ୍ଵାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ୨୦୧୪ ମାର୍ଚ୍ଚ ୧୧ରେ ତାଙ୍କୁ କେରଳର ରାଜ୍ୟପାଳ କରାଯାଇଥିଲା। ହେଲେ ସେହି ବର୍ଷ ଅଗଷ୍ଟ ମାସରେ ସେ ପଦରୁ ଇସ୍ତଫା ଦେଇଥିଲେ।

୨୦୧୦ରେ ଇଣ୍ଡୋ-ଆର୍ଯ୍ୟ ସମାଜ ତରଫରୁ ତାଙ୍କୁ ଦାରା ସିଖୋ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ୨୦୧୩ରେ ଦିଲ୍ଲୀ ଓମେନ ଅଫ ଦ ଡିକାର୍ଡ ଆଓ୍ଵାର୍ଡ ପାଇଥିଲେ।

Comment