ଓଡ଼ିଶାଲାଇଭ୍‍ ବ୍ୟୁରୋ

ଧର୍ମ ପରିବର୍ତ୍ତନ ପ୍ରସଙ୍ଗରୁ ବଲିଉଡ୍ ବି ବାଦ୍ ପଡ଼ିନାହିଁ। ଅତୀତରେ ଅନେକ ବଲିଉଡ୍‍ କଳାକାର ନିଜର ଧର୍ମର ପରିବର୍ତ୍ତନ କରିଛନ୍ତି। ଆସନ୍ତୁ ଜାଣିବା ଧର୍ମ ପରିବର୍ତ୍ତନ କରିଥିବା କିଛି ନାୟିକାଙ୍କ ସମ୍ପର୍କରେ ଅଜଣା ତଥ୍ୟ।

ଧର୍ମ ପରିବର୍ତ୍ତନ କରିବା କଦାଚିତ୍ ଏକ ସାଧାରଣ ପ୍ରସଙ୍ଗ ହୋଇନପାରେ। ଅନେକଙ୍କ କ୍ଷେତ୍ରରେ ଏହା ବାଧ୍ୟବାଧକତା ହୋଇଥାଏ। କେହି ଅନ୍ୟ ଧର୍ମରେ ବିଶ୍ୱାସ ହେତୁ ସେଭଳି ପରିବର୍ତ୍ତନର ସହାୟତା ନେଇଥାନ୍ତି ତ ପୁଣି କେହି ସାମୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଧର୍ମ ପରିବର୍ତ୍ତନ ପ୍ରସଙ୍ଗରୁ ବଲିଉଡ୍ ବି ବାଦ୍ ପଡ଼ିନାହିଁ। ଅତୀତରେ କେତେକ ବଲିଉଡ୍‍ କଳାକାର ନିଜର ଧର୍ମର ପରିବର୍ତ୍ତନ କରିଛନ୍ତି।

ନର୍ଗିସ୍ ଦତ୍ତ

ପ୍ରେମ ପାଇଁ ବଲିଉଡର ମଦରଇଣ୍ଡିଆ ନର୍ଗିସ୍ ଦତ୍ତ ଧର୍ମ ପରିବର୍ତ୍ତନ କରିଥିଲେ। ସେ ଜଣେ ମୁସଲମାନ୍ ଯୁବତୀ ଥିଲେ। ନର୍ଗିସ୍ ସେ ସମୟର ଉଦୀୟମାନ ଅଭିନେତା ସୁନୀଲ ଦତ୍ତଙ୍କ ସହିତ କାଳଜୟୀ ସିନେମା ‘ମଦର ଇଣ୍ଡିଆ’ରେ କାମ କରିବା ସମୟରେ ପ୍ରେମରେ ପଡ଼ିଥିଲେ।

ତା’ପରେ ସୁନୀଲ ଦତ୍ତଙ୍କୁ ନର୍ଗୀସ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଏଣୁ ସେ ସେହି ସମୟରେ ନିର୍ଭୀକ ଭାବେ ହିନ୍ଦୁ ଧର୍ମ ଗ୍ରହଣ କରିବା ସହିତ ନିଜ ନାମ ବଦଳାଇଥିଲେ। ନିଜର ନାମର ରଖିଥିଲେ ନିର୍ମଳା ଦତ୍ତ। ତେବେ ଏହି କଥା ସୁନୀଲ ଓ ନର୍ଗିସଙ୍କ ବାହାଘର ପରେ ଜଣାପଡ଼ିଥିଲା।

ଶର୍ମିଳା ଟାଗୋର

ବଙ୍ଗୀୟ ହିନ୍ଦୁ ପରିବାରରେ ଜନ୍ମିତା ଶର୍ମିଳା ଟାଗୋର ବଲିଉଡରେ ଆରାଧନା, ଅମରପ୍ରେମ୍ ଓ କାଶ୍ମୀର କି କଲି ସମେତ ବହୁ ହିଟ୍ ଫିଲ୍ମର ନାୟିକା ଭାବେ ଲୋକପ୍ରିୟତା ହାସଲ କରିଥିଲେ। ସେ ନିଜ କ୍ୟାରିଅରରେ ସଫଳତାର ଶୀର୍ଷରେ ପହଞ୍ଚିବା ସମୟରେ ହିଁ ବିଖ୍ୟାତ କ୍ରିକେଟର ମନସୁର୍ ଅଲ୍ଲୀ ଖାନ୍ ପଟୌଦିଙ୍କ ପ୍ରେମରେ ପଡ଼ିଥିଲେ। ସେ ଦୁହିଁଙ୍କ ପ୍ରେମ କାହାଣୀ ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା।

ଉଭୟ ପରିବାରର ବିରୋଧ ସତ୍ତ୍ୱେ ପଟୌଦି ଓ ଶର୍ମିଳା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏଥିପାଇଁ ଶର୍ମିଳା ଟାଗୋର ଇସଲାମ୍ ଧର୍ମ ଗ୍ରହଣ କରିଥିଲେ ଏବଂ ସେ ବେଗମ୍ ଆୟେଶା ସୁଲତାନା ନାମରେ ନାମିତ ହୋଇଥିଲେ।

ଅମ୍ରିତା ସିଂହ

ଅନେକ ସମୟରେ ଲୋକେ ପ୍ରେମରେ ସଫଳ ହୁଅନ୍ତି, ହେଲେ ବିବାହ କ୍ଷେତ୍ରରେ ଅସଫଳ ହୁଅନ୍ତି। ଏମିତି ଜଣେ ଅଭିନେତ୍ରୀ ହେଲେ ଅମ୍ରିତା ସିଂହ। ସେ ‘ବେତାବ୍’, ‘ମର୍ଦ୍ଦ’ ଓ ‘ଖୁଦ୍‌ଗର୍ଜି’ ଭଳି ସୁପରହିଟ୍ ଫିଲ୍ମର ନାୟିକା ଭାବେ ବଲିଉଡ୍‌ରେ ଅଳ୍ପଦିନ ଭିତରେ ଟପ୍ ହିରୋଇନର ମାନ୍ୟତା ପାଇଥିବା ଅମ୍ରିତା ଶିଖ୍ ଧର୍ମାବଲମ୍ବୀ ଥିଲେ।

ଯେତେବେଳେ ଅମ୍ରିତା ତାଙ୍କଠୁ ବୟସରେ ସାନ ସୈଫ୍ ଅଲ୍ଲୀ ଖାନଙ୍କୁ ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ମନ ବଳାଇଥିଲେ, ସେ ଇସଲାମ ଧର୍ମକୁ ଆପଣାଇଥିଲେ। ତେବେ ବିବାହ ବିଚ୍ଛେଦ ପରେ ଅମ୍ରିତା ପୁଣି ନିଜର ପୂର୍ବ ଧର୍ମ ‘ଶିଖ୍’କୁ ଫେରିଛନ୍ତି କି ନା, ତାହା ଅବଶ୍ୟ ଜଣାପଡ଼ିନାହିଁ। କିନ୍ତୁ ସୈଫ୍‌ଙ୍କ ଦ୍ୱିତୀୟ ପତ୍ନୀ କରିନା କପୁର ଖାନ୍ ନିଜର ନାମରେ ଖାନ୍ ଶଦ୍ଦ ଯୋଡ଼ିଥିଲେ ବି ନିଜର ଧର୍ମ ପରିବର୍ତ୍ତନ କରିନାହାନ୍ତି।

ନଗ୍ମା

ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତଥା ବଲିଉଡ ଓ ଭୋଜପୁରୀ ସିନେମାର ଜଣାଶୁଣା ନାୟିକା ନଗ୍‌ମା ବି ୨୦୦୮ ମସିହାରେ ନିଜର ଧର୍ମ ପରିବର୍ତ୍ତନ କରିଥିଲେ। ତେବେ ପ୍ରେମ ବା ବିବାହ ପାଇଁ ଏଭଳି କରିନାହାନ୍ତି, କେବଳ ଭଗବାନ ଯୀଶୁଖ୍ରୀଷ୍ଟ ପ୍ରତି ଆକୃଷ୍ଟ ହୋଇ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ନଗ୍‌ମା। ଏକ ସଭାରେ ନଗ୍‌ମା କହିଥିଲେ ଯେ ଭଗବାନ ଯୀଶୁଖ୍ରୀଷ୍ଟ ହେଉଛନ୍ତି ତାଙ୍କ ଜୀବନର ଏକମାତ୍ର ସୁପରଷ୍ଟାର୍।

ଆୟେଶା ଟାକିଆ ଆଜ୍ମୀ

ବଲିଉଡ୍‌ରେ ଖୁବ୍ କମ୍ ଦିନ ଭିତରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ଆୟେଶା ଟାକିଆ। କିନ୍ତୁ ସିନେ କ୍ୟାରିଅରରେ ଯଥେଷ୍ଟ ଆଗକୁ ଯିବା ପୂର୍ବରୁ ସେ କିନ୍ତୁ ବାହା ହୋଇ ଅଭିନୟ କ୍ଷେତ୍ରରୁ ଦୂରେଇ ଯାଇଛନ୍ତି। ଆୟେଶା ‘ଟାର୍ଜନ ଦ ୱଣ୍ଡରକାର୍’ ସିନେମା ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ତା’ ପରେ ତାଙ୍କୁ ସଲମାନ୍ ଖାନ୍‌ଙ୍କ ସହିତ ’ୱାଣ୍ଟେଡ୍’ରେ ବି କାମ କରିଥିଲେ ଆୟେଶା।

୨୦୦୯ରେ ଆୟେଶା ଟାକିଆ ତାଙ୍କର ପ୍ରେମିକ ଫରହାନ୍ ଆଜ୍‌ମୀଙ୍କୁ ବିବାହ କରିଥିଲେ। ଆୟେଶାଙ୍କ ବାପା ହିନ୍ଦୁ ଥିଲେ ଓ ମାଆ ଆଙ୍ଗଲୋ ଇଣ୍ଡିଆନ୍। କିନ୍ତୁ ସେ ବିବାହ କରିଛନ୍ତି ଜଣେ ମୁସଲମାନ୍‌ରେ ରେସ୍ତୁରାଁ ମାଲିକଙ୍କୁ। ଫରହାନ୍ ଓ ଆୟେଶାଙ୍କ ବାହାଘର ସମ୍ପୂର୍ଣ୍ଣ ଇସଲାମୀୟ ‘ନିକାହ’ ଥିଲା। ଅନେକ କହନ୍ତି ଯେ ଆୟେଶା ବିବାହ ସମୟରେ ଇସଲାମ୍ ଧର୍ମକୁ ସ୍ୱୀକାର କରିଥିଲେ। ତେବେ ଏ ସମ୍ପର୍କରେ ଆୟେଶା ଟାକିଆ ଆଜ୍‌ମୀ ଏଯାବତ୍ କେବେ ବି କିଛି କହିନାହାନ୍ତି।

Comment