ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟରେ ପ୍ରତିଦିନ ବଢୁଛି ନାବାଳିକା ଦୁଷ୍କର୍ମ ଘଟଣା। ଏହାସହ ନିଖୋଜ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହାକୁ ଅସ୍ତ୍ର କରି ଆଜି ବିରୋଧୀ କଂଗ୍ରେସ ଓ ବିଜେପି ବିଧାନସଭା ହୁଲସ୍ତୁଲ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଥିବା ଅଭିଯୋଗ ଆଣି ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ଧାରଣା ଦେଇଥିଲେ।

ବିଜେପି ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଥିବା ବେଳେ କଂଗ୍ରେସ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲା।

ଗତକାଲି ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ଗତ ତିନି ମାସ ଭିତରେ ରାଜ୍ୟରେ ୬୦୨ ଜଣ ଶିଶୁ ନିଖୋଜ ଅଛନ୍ତି। ଏହାସହ ଅନୁଗୁଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଅଳିଆଗଦାରେ ଫିଙ୍ଗି ଦିଆଯିବା ଭଳି ସମ୍ବେଦନଶୀଳ ଖବର ଆସିଥିଲା। ଏହାକୁ ଆଜି ବିରୋଧୀ ବିଧାନସଭାରେ ଅସ୍ତ୍ର କରିଥିଲେ।

ଆରମ୍ଭରୁ ବିରୋଧୀ ଗୃହ ଅଚଳ କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ‘‘ରାଜ୍ୟରେ ଗତ ଚାରି ବର୍ଷ ହେଲା ଶିଶୁ ନିଖୋଜ ହେଉଛନ୍ତି। ଏଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ସରକାର ଅବଗତ ଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁ ନାହାନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଆଦୌ ସଚେତନ ନାହାନ୍ତି।

‘‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଶିଶୁମାନେ ନିଖୋଜ ହେବା ସହ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ’’, କହିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

Comment