ଓଡ଼ିଶାଲାଇଭ ବ୍ୟୁରୋ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇ୍ରମାନ ଖାନ ଏବେ ଆମେରିକା ଗସ୍ତରେ। ହେଲେ ଆମେରିକା ଯାଉ ଯାଉ ଇମ୍ରାନଙ୍କୁ ହଟହଟା ହେବାକୁ ପଡ଼ିଛି। ଜଣେ ପ୍ରଧାନମନ୍ତ୍ରୀଙ୍କୁ ବିଦେଶରେ ଯେତିକି ସମ୍ମାନ ମିଳେ ତାହା ଆମେରିକାରେ ଇମ୍ରାନଙ୍କୁ ମିଳିନାହିଁ।

ରବିବାର ବିମାନବନ୍ଦରକୁ ତାଙ୍କୁ ସ୍ୱାଗତ କରିବା ପାଇଁ ଆମେରିକାର କେହି ବରିଷ୍ଠ ରାଜନେତା ବା ସରକାରୀ ଅଧିକାରୀ ଆସିନଥିଲେ। ଜଣେ ପ୍ରଟୋକଲ ଅଫିସର ତାଙ୍କ ସ୍ୱାଗତ କରିଥିଲେ।

ଏଥିସହିତ ସେ କୌଣସି ହୋଟେଲରେ ନରହି ଆମେରିକାରେ ଅବସ୍ଥାପିତ ତାଙ୍କ ଦେଶର ରାଷ୍ଟ୍ରଦୂତ ଆସଦ ମଜିଦ୍ ଖାନ୍‌ଙ୍କ ସରକାରୀ ବାସଭବନରେ ରହୁଛନ୍ତି।

ଏପରିକି ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ସେ ତାଙ୍କର ଅନ୍ୟ ପ୍ରତିନିଧିମାନଙ୍କ ସହିତ ମିଶି ମେଟ୍ରୋରେ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ଇମ୍ରାନଙ୍କର ଏହା ପ୍ରଥମ ଆମେରିକା ଗସ୍ତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋମବାର ଭେଟିବା କାର୍ଯ୍ୟକ୍ରମ ରହିଛି।

ଏଥିସହିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କାମଚଳା ମୁଖ୍ୟ ଡେଭିଡ ଲିପଟନ ଏବଂ ବିଶ୍ୱବ୍ୟାଙ୍କ ସଭାପତି ଡେଭିଡ ମୋଲପାସ, ଆମେରିକାର ସାଂସଦମାନଙ୍କୁ ମଧ୍ୟ ଭେଟିବେ। ଇମ୍ରାନଙ୍କ ସହିତ ପାକିସ୍ତାନର ବୈଦେଶିକ ସଚିବ ସୋହେଲ ମହମ୍ମଦ ଏବଂ ବାଣିଜ୍ୟ ପରାମର୍ଶଦାତା ଅବଦୁଲ ରଜାକ୍ ଆମେରିକା ଯାଇଛନ୍ତି।

ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଆମେରିକା ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଛି। ଆତଙ୍କବାଦ ବିରୋଧରେ ଠୋସ୍ ପଦକ୍ଷେପ ନେଉ ନଥିବାରୁ ଟ୍ରମ୍ପ ପାକିସ୍ତାନକୁ ଅତୀତରେ କଡ଼ା ସମାଲୋଚନା କରିଛନ୍ତି।

Comment