ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ଆତ୍ମଘୋଷିତ ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଚାରି ବର୍ଷ ପରେ ସେ ଜେଲରୁ ମୁକୁଳିବେ। ସାରଥୀ ଜେଲ୍‌ରୁ ମୁକୁଳିବା ଖବର ପାଇବା ପରେ ତାଙ୍କ ଭକ୍ତମାନେ ଖୁସି ହୋଇଯାଇଛନ୍ତି।

ହେଲେ ଚାରି ବର୍ଷ ତଳେ ଯେଉଁ ବାରିମୂଳ ଆଶ୍ରମ ଭକ୍ତଙ୍କ ଗହଳ ଚହଳରେ ଫାଟି ପଡୁଥିଲା ସେ ଆଶ୍ରମ ଏବେ ଖାଁ ଖାଁ ଲାଗୁଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଶ୍ରମକୁ କବ୍‌ଜାକୁ ନେବା ପରେ ଆଶ୍ରମରେ ଭକ୍ତମାନଙ୍କ ପାଦ ପଡୁନି। ଗତ ଚାରି ବର୍ଷ ହେଲା ୫ ଜଣ ପୋଲିସ କର୍ମଚାରୀ ଆଶ୍ରମରେ ପହରା ଦେଉଛନ୍ତି।

ଆଶ୍ରମରେ ସାରଥୀଙ୍କ ମା’ ରହୁଥିବା ବେଳେ କିଛି ଗୋରୁଗାଈ ରହୁଛନ୍ତି। ଜଣେ ପୂଜକ ଆଶ୍ରମ ପରିସରରେ ଥିବା ଦେବଦେବୀଙ୍କୁ କେବଳ ପୂଜା କରୁଛନ୍ତି।

ତନ୍ତ୍ର ସାଧନା ବଳରେ ବାବା ସାରଥୀ ପାଲଟି ଯାଇଥିଲା ସନ୍ତୋଷ ରାଉଳ। ଭକ୍ତଙ୍କ ବିଶ୍ୱାସ ଓ ଭାବନା ସହ ଖେଳ ଖେଳିବା ସହ ନାରୀମାନଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ରହିଥିଲା। ଏହାଛଡା ବାବା ସାରଥି ଜଣେ ଯୁବତୀଙ୍କୁ ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ରଖି ରାତ୍ରୀ ଯାପନ କରିବା ଅଭିଯୋଗର ମହାଖୁଲାସା ହେବାପରେ ସାରଥୀର କେଳଙ୍କାରୀ ପଦାରେ ପଡିଯାଇଥିଲା। ବାବାଙ୍କର ଏହି କଳଙ୍କିତ ଚେହେରା ପଦାରେ ପଡିବାପରେ ସ୍ଥାନୀୟ ଲୋକେ ନିଆଁବାଣ ହୋଇଯାଇଥିଲେ।

ସାରଥୀଙ୍କ ଭବ୍ୟ ମନ୍ଦିରରେ ଭଙ୍ଗାରୁଜା କରିବା ସହିତ ସାରଥୀଙ୍କୁ ଗିରଫ ଦାବି ଜୋର ଧରିଥିଲା। ଆନ୍ଦୋଳନ ତୀବ୍ର ହେବା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ। କ୍ରାଇମବ୍ରାଞ୍ଚ ଟିମ୍‌ ସାରଥି ଆଶ୍ରମରେ ପହଞ୍ଚି ଛାନଭିନ୍‌ କରି ଗୁମର ଖୋଲିଥିଲେ। ଶେଷରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ଏସଟିଏଫ୍ ଗିରଫ କରିଥିଲା। ଏହାପରେ ସାରଥୀଙ୍କ ବିରୋଧରେ ଜନୈକା ଯୁବତୀ ଓ ତାଙ୍କର ମା’ ଅସଦାଚରଣ ଅଭିଯୋଗ କରିବା ସହିତ ତାଙ୍କ ଜମିକୁ ହଡ଼ପ କରିବାର ଚକ୍ରାନ୍ତ କରୁଥିବା ଅଭିଯୋଗ ଆଣିଥିଲେ। ଏହାଛଡା ସାରଥୀଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଜବତ କରାଯିବା ସହିତ ବେଆଇନ ଜମିବାଡିର କାଗଜପତ୍ର ତଦନ୍ତ ପରିସରକୁ ଆସିଥିଲା।

ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାରଥୀ ସାମ୍ରାଜ୍ୟକୁ ତଦନ୍ତ ପରିସରଭୁକ୍ତ ଆଣିଥିଲେ। କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରୁ ଆରମ୍ଭ କରି ଜିଲ୍ଲା ଜଜ୍ କୋର୍ଟରେ ଜାମିନ ଖାରଜ ହେବା ପରେ ସାରଥୀ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯାଏଁ ଯାଇଥିଲେ। ଆଜି ଓଡ଼ିଶା ହାଇକୋର୍ଟ ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି।

ସାରଥୀଙ୍କର ଜାମିନ ମିଳିବା ଖବର ଶୁଣି ତାଙ୍କ ଭକ୍ତମାନେ ଖୁସି ହୋଇଯାଇଛନ୍ତି। ଏବେ ବି ସାରଥୀଙ୍କୁ ବାରିମୁଳ ଗାଁର କେତେକ ଭକ୍ତମାନେ ପୂଜାର୍ଚ୍ଚନା କରି ଆସୁଛନ୍ତି। ସେମାନଙ୍କ କହିବା କଥା ହେଉଛି ବାବା ନିର୍ଦ୍ଦୋଶ ଥିବା ସେମାନେ ଆଗରୁ ଅନୁଭବ କରିଥିଲେ। ଏବେ ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ବାରିମୂଳ ଗାଁର ଆଉ କିଛି ଲୋକ କୋର୍ଟଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି। କିନ୍ତୁ ଆଉ ବାରିମୂଳ ଗାଁରେ ସାରଥୀଙ୍କୁ ପୂରାଇ ଦିଆଯିବ ନାହିଁ ବୋଲି ସେମାନେ ମତ ଦେଇଛନ୍ତି। ହେଲେ ସାରଥୀଙ୍କୁ ଆଉ ବାରିମୂଳ ଗାଁରେ ପୂରାଇ ଦେବେ ନାହିଁ ବୋଲି କହିଛନ୍ତି।

Comment