ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୯ ବର୍ଷ ଭିତରେ ବିଜୟ ମହାପାତ୍ର ଏଥର ବଡ଼ ପରୀକ୍ଷା ଦେଇଛନ୍ତି। ବିଜୟ ପାସ୍‌ କି ଫେଲ୍ ତାହା ଆସନ୍ତାକାଲି ଫଳାଫଳରୁ ହିଁ ଜଣାପଡ଼ିବ।

‘‘ମୁଁ ମୋ’ ଜୀବନରେ ବହୁତ ନିର୍ବାଚନ ଓ ଉପ-ନିର୍ବାଚନ ଦେଖିଛି। ହେଲେ ପାଟକୁରାରେ ଏଥର ଯେଉଁଭଳି ନିର୍ବାଚନ ହେଲା ତାହା ଅତୀତରେ ଓଡ଼ିଶାରେ କେଉଁଠି ହୋଇ ନଥିଲା କି ଆଗକୁ ମଧ୍ୟ ହେବ ନାହିଁ। ଏହା ଏକ ଐତିହାସିକ ନିର୍ବାଚନ ଥିଲା। ଏହା ମୋ’ ପାଇଁ ସ୍ମରଣୀୟ ହୋଇ ରହିବ।’’

ପାଟକୁରା ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବାର ଦିନକ ପୂର୍ବରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଏହି ବୟାନ ରାଜନୀତି କରିଡ଼ରରେ ଅନେକ ଗୁରୁତ୍ୱ ବହନ କରୁଛି। ସିଧାସଳଖ ନହେଲେ ବି ବିଜୟ ସ୍ୱୀକାର କରିଛନ୍ତି ଯେ ‘ଏହି ନିର୍ବାଚନ ତାଙ୍କ ପାଇଁ ବଡ଼ ପରୀକ୍ଷା’ ଥିଲା।

ବିଜୟଙ୍କ ପାଇଁ ଶେଷ ଲଢ଼େଇ?

ଗତ ୧୯ ବର୍ଷ ହେଲା କ୍ଷମତାଠାରୁ ଦୂରରେ ଥିବା ବିଜୟ ମହାପାତ୍ରଙ୍କ ପାଇଁ ଚଳିତ ନିର୍ବାଚନ ଶେଷ ଲଢ଼େଇ ବୋଲି କୁହାଯାଉଛି। ବିଜେଡିରୁ ବିଦା ହେବା ପରେ ବିଜୟ ରାଜନୀତିରେ ଅନେକ ପରୀକ୍ଷା ଦେଇଛନ୍ତି। ହେଲେ ସବୁଠି ବିଫଳ ହୋଇ ଆସିଛନ୍ତି।

ବିଜେଡିରୁ ବିଦା ହେବା ପରେ ବିଜୟ ଓଜିପି ନାଁରେ ରାଜନୀତିକ ଦଳ ଗଠନ କରି ରାଜନୀତିରେ ପରୀକ୍ଷା ଦେଇଥିଲେ। ହେଲେ ସେ ପରୀକ୍ଷାରେ ପାସ୍‌ କରିପାରି ନଥିଲେ ବିଜୟ। ୨୦୦୪ରେ ବିଜୟ ପାଟକୁରାରୁ ଓଜିପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

ଓଜିପିରେ ଭାଗ୍ୟ ପରୀକ୍ଷା ପରିବା ପରେ ବିଜୟ ଏନସିପରେ ସାମିଲ ହୋଇ ରାଜ୍ୟ ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ତାଙ୍କ ଭାଗ୍ୟ ସାଥ୍ ଦେଲାନି। ଯେଉଁ ବିଜେଡିଠାରୁ ପ୍ରତିଶୋଧ ନେବାବୁ ବିଜୟ ଚାହୁଁଥିଲେ ସେହି ଦଳ ସହ ଏନସିପି ୨୦୦୪ରେ ଆସନ ବୁଝାମଣା କରିଥିଲା। ଫଳରେ ବିଜୟ ଏନସିପି ଛାଡ଼ିଥିଲେ।

୨୦୦୯ରେ ବିଜେଡିଠାରୁ ଦୂରେଇ ଥିବା ବିଜେପିରେ ସାମିଲ ହୋଇଥିଲେ ବିଜୟ। ବିଜେପି ଟିକେଟରେ ବିଜୟ ପୁଣି ପାଟକୁରାରୁ ୨୦୦୯ ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜିତ ହୋଇଥିଲେ। ୨୦୧୪ରେ ମହାକାଳପଡ଼ାରୁ ନିର୍ବାଚନ ଲଢ଼ି ପରାଜିତ ହେବା ପରେ ବିଜୟ ୨୦୧୯ରେ ପୁଣି ପୁରୁଣା ମଇଦାନ ପାଟକୁରା ଫେରିଥିଲେ।

ଯେଉଁ ଆସନରୁ ବିଜୟ ପ୍ରଥମେ ବିଧାନସଭାକୁ ଯାଇଥିଲେ ସେହି ଆସନରେ ଏବେ ବିଜୟ ଶେଷ ଲଢ଼େଇ ଲଢୁଥିବା କୁହାଯାଉଛି। ବାରମ୍ବାର ନିର୍ବାଚନ ଯୁଦ୍ଧରେ ପରାଜିତ ହୋଇଥିବା ବିଜୟଙ୍କୁ ଏଥର ଉତ୍ତୀର୍ଣ୍ଣ ହେବାର ସୁଯୋଗ ମିଳୁଛି କି ନାହିଁ ଦେଖିବାକୁ ବାକି ରହିଲା।

‘‘ଆସନ୍ତାକାଲିର ଫଳାଫଳ ମୋ’ ପାଇଁ ସବୁଠୁ ସ୍ମରଣୀୟ ହୋଇ ରହିବ। ଓଡ଼ିଶାବାସୀଙ୍କ ପାଇଁ ମଧ୍ୟ ଏହା ସ୍ମରଣୀୟ ହୋଇ ରହିବ। ପାଟକୁରାବାସୀ ତାଙ୍କ ନିଷ୍ପତ୍ତି ବହୁ ଆଗରୁ ନେଇ ସାରିଥିଲେ। ଇଭିଏମ୍‌ରେ ତାର ଜବାବ ଦେଇଛନ୍ତି। ଆସନ୍ତାକାଲି ପାଟକୁରା ଏବଂ ଓଡ଼ିଶାବାସୀଙ୍କର ବିଜୟ ହେବ’’, କହିଛନ୍ତି ବିଜୟ ମହାପାତ୍ର।

କାହିଁକି କୁହାଯାଉଛି ବଡ଼ ପରୀକ୍ଷା?

ବିଜୟ ମହାପାତ୍ର ତାଙ୍କ ରାଜନୀତିକ ଜୀବନରେ ଚାରି ଥର ବିଧାୟକ ରହିଛନ୍ତି। ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ବିଭାଗର ମନ୍ତ୍ରୀ ମଧ୍ୟ ରହିଛନ୍ତି। ଦିନ ଥିଲା ବିଜୟ ଥିଲେ ବିଜୁଙ୍କ ମନ୍ତ୍ରିମଣ୍ଡଳରେ ସୁପର ଚିଫ୍ ମିନିଷ୍ଟର। ବିଜେଡି ଗଠନରେ ଥିଲା ବିଜୟଙ୍କ ପ୍ରମୁଖ ଅବଦାନ।

୧୯୮୦ରୁ ୨୦୧୯ ଯାଏଁ ବିଜୟ ବହୁତ ପରୀକ୍ଷା ଦେଇ ଆସିଛନ୍ତି। କିନ୍ତୁ ଚଳିତ ନିର୍ବାଚନ ତାଙ୍କ ପାଇଁ ବଡ଼ ପରୀକ୍ଷା ବୋଲି କୁହାଯାଉଛି। ଏଥର ବିଜୟଙ୍କୁ ଚେକ୍ ଦେବା ପାଇଁ ବିଜେଡି ଯେଉଁଭଳି ରଣକୌଶଳ ତିଆରି କରିଥିଲା ତାହା ପୂର୍ବରୁ କେଉଁ ନିର୍ବାଚନରେ ହୋଇ ନଥିବା କୁହାଯାଉଛି।

ବିଜୟଙ୍କୁ ମାତ୍ ଦେବା ପାଇଁ ଗାଁ ଗାଁରେ ବିଜେଡିର ନେତା ମନ୍ତ୍ରୀ ଡେରା ପକାଇଥିଲେ। ଏପରିକି ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପାଟକୁରାରେ ୭ ଘଣ୍ଟା ରହି ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଥିଲେ। ଏସବୁକୁ ବିଜୟ କେମିତି ଭଦେ କରିଛନ୍ତି ତାହା ଆସନ୍ତକାଲି ହିଁ ସ୍ପଷ୍ଟ ହେବ। ବିଜୟ ଏହି ପଡ଼ ପରୀକ୍ଷାରେ ପାସ୍ କରୁଛନ୍ତି ନା ଫେଲ୍‌ ତାହା ଜଣାପଡ଼ିବ।

‘‘ପାଟକୁରା ନିର୍ବାଚନକୁ କାହିଁକି ଏଭଳି କରାଗଲା ତାର ଉତ୍ତର କେବଳ ଶାସକ ଦଳର ନେତାମାନେ ଦେଇ ପାରିବେ। ହେଲେ ପାଟକୁରାବାସୀ କୌଣସି ପ୍ରଲୋଭନକୁ ଗ୍ରହଣ କରି ନାହାନ୍ତି। ସେମାନେ ଉଚିତ ନିଷ୍ପତ୍ତି ନେଇଛନ୍ତି’’, କହିଛନ୍ତି ବିଜୟ ମହାପାତ୍ର।

Comment