ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ରେଜଲ୍ଟ ପୂର୍ବରୁ କଂଗ୍ରେସ ନେତା ସୁର ରାଉତରାୟଙ୍କ ବୟାନ ରାଜନୀତିକୁ କଲା ଉଷ୍ମ।

‘‘ବିଜୟ ମହାପାତ୍ର ଜଣେ ଟାଲେଣ୍ଟ ନେତା। ଯଦି ସେ ପାଟକୁରାରେ ଏକୁଟିଆ ବୁଲିଥାନ୍ତେ ତାହାଲେ ଜିତିଥାନ୍ତେ। ହେଲେ ବିଜେପି ତାଙ୍କୁ ସହଯୋଗ କରିବାରୁ ଏବଂ ବିଜେପି ନେତାମାନେ ତାଙ୍କ ସହ ବୁଲିବାରୁ ବିଜୟ ନିର୍ବାଚନରେ ହାରିଯିବେ’’, ପାଟକୁରା ନିର୍ବାଚନ ରେଜଲ୍ଟ ଆସିବା ପୂର୍ବରୁ ଏକଥା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ।

ପ୍ରକାଶ ପାଇନି ପାଟକୁରା ନିର୍ବାଚନର ଫଳାଫଳ। ରାତି ପାହିଲେ ଏହି ମହାଯୁଦ୍ଧରେ କିଏ ଜିତିବ ଏବଂ କିଏ ହାରିବ ସ୍ପଷ୍ଟ ହେବ। ହେଲେ ଏହା ପୂର୍ବରୁ ରାଜନୀତିରେ ଆରମ୍ଭ ହୋଇଯାଇଛି ବୟାନବାଜି। ହାର୍ ଜିତ୍‌କୁ ନେଇ ସବୁ ଦଳରେ ଗଣିତ କଷା ଚାଲିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଓରଫ୍ ସୁର ବଡ଼ ବୟାନ ଦେଇଛନ୍ତି।

ରେଜଲ୍ଟ ଆସିବା ପୂର୍ବରୁ କିଏ ଜିତିବ ଏବଂ କିଏ ହାରିବ ତାର ଭବିଷ୍ୟତ କହିଛନ୍ତି ସୁର। ସୁର ତାଙ୍କ ବୟାନରେ ବିଜେପି ଏବଂ ବିଜେଡିକୁ ତୀର ମାରିବା ସହ ବିଜୟ ମହାପାତ୍ର ନିର୍ବାଚନ ହାରିବେ ବୋଲି କହିଛନ୍ତି।

‘‘ବିଜୟଙ୍କ ଭଳି ନେତା ଓଡ଼ିଶାରେ ନାହାନ୍ତି। ହେଲେ ନବୀନ ବାବୁ ତାଙ୍କୁ ବିଧାନସଭାରେ ପୂରାଇ ଦେଉ ନାହାନ୍ତି। ବିଜୟଙ୍କୁ ହରାଇବା ପାଇଁ ପାଟକୁାରେ ବିଜେଡି ନେତା ମନ୍ତ୍ରୀ କ୍ୟାମ୍ପ କରି ରହିଲେ। ନିଜେ ନବୀନ ବାବୁ ପାଟକୁରାରେ ୭ ଘଣ୍ଟା ରହି ପ୍ରଚାର କଲେ। ଭୋଟରଙ୍କୁ ଟଙ୍କା ଦେଇ ବିଜେଡି କିଣିଛି। ଏଣୁ ବିଜେଡି ପାଟକୁରାରେ ପ୍ରଥମରେ ରହିବ। ବିଜେପି ଦ୍ୱିତୀୟ ଏବଂ କଂଗ୍ରେସ ତୃତୀୟ ସ୍ଥାନରେ ରହିବ’’, କହିଛନ୍ତି ସୁର ରାଉତରାୟ।

ସୁର ଆହୁରି କହିଛନ୍ତି ଯେ, ‘‘ମୁଁ ନିଜେ ପାଟକୁରା ଯାଇଛି। ବାଇକ ରାଲି କରି ୧୦ରୁ ୧୨ଟି ଗାଁ ବୁଲିଛି। ସବୁ ଗାଁରେ ବିଜେପି ଏବଂ ବିଜେଡି ଟଙ୍କା ଦେଇ ଭୋଟରଙ୍କୁ କିଣିଛନ୍ତିା ବିଜେଡି ଭୋଟ ଗୋଟାକୁ ୫ ହଜାର ଟଙ୍କା ଦେଇଥିବା ବେଳେ ବିଜେପି ୩ ହଜାର ଟଙ୍କା ଦେଇଛି। ଆମ ପାଖରେ ପଇସା ନାହିଁ। ଯଦି ବିବେକ ଭୋଟ ମିଳିବ ତାହାଲେ ଆମ ପ୍ରାର୍ଥୀ ଜୟନ୍ତ ମହାନ୍ତି ଜିତିବେ।’’

ପାଟକୁରାରେ ଶେଷ ହୋଇଛି ହାଇଭୋଲଟେଜ ନିର୍ବାଚନ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ଭିତରେ ଜୋରଦାର ଟକ୍କର ହୋଇଥିଲା। ଏହି ତିନି ଜଣଙ୍କ ଭିତରୁ କିଏ ବାଜି ମାରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସୁରଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି।

Comment