ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶେଷ ହେଲା କର୍ଣ୍ଣାଟକ ନାଟକ। ଭାଙ୍ଗିଲା ଏଚ୍‌ ଡି କୁମାରସ୍ୱାମୀଙ୍କ ସରକାର। ଆଉ କିଛି ସମୟରେ କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କୁମାରସ୍ୱାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ବିଜେପି ବିଧାୟକମାନେ ଖୁସି ମନାଇଛନ୍ତି।

କର୍ଣ୍ଣାଟକ ବିଧାନସଭାରେ ଆଜି ଆସ୍ଥା ଭୋଟ ହୋଇଥିଲା। ଏହି ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ ପରାଜିତ ହୋଇଛନ୍ତି। ସରକାରଙ୍କ ସପକ୍ଷରେ ୯୯ ବିଧାୟକଙ୍କ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୧୦୫ ବିଧାୟକଙ୍କ ଭୋଟ ପଡ଼ିଥିଲା। ଫଳରେ କର୍ଣ୍ଣାଟକରେ ୧୪ ମାସର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗି ଯାଇଛି।

ଗତ ଜୁଲାଇ ୧ରୁ କର୍ଣ୍ଣାଟକରେ ରାଜନୀତିକ ସଙ୍କଟ ଲାଗି ରହିଥିଲା। କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେବା ପରେ ଅସ୍ଥିରତା ବଢ଼ିଥିଲା। ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟରୁ ଆଉ ୧୫ ବିଧାୟକ ଇସ୍ତଫା ଦେଇଥିଲେ।

ବିଧାୟକଙ୍କ ଇସ୍ତଫା ପରେ କୁମାରସ୍ୱାମୀଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା। ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ଜୁଲାଇ ୧୫ ତାରିଖରେ କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ହେଲେ ତାହା ହୋଇପାରି ନଥିଲା।

ଆସ୍ଥା ଭୋଟ ନହେବା ପଛରେ ବିଜେପି ବାଚସ୍ପତିଙ୍କୁ ଦାୟୀ କରିଥିଲା। ବାଚସ୍ପତି ଜାଣିଶୁଣି ସମୟ ଗଡ଼ାଉଥିବା ବିଜେପି ଅଭିଯୋଗ କରିଥିଲା। ପରେ ୧୮ ତାରିଖରେ ଆସ୍ଥା ଭୋଟ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ସେଦିନ ବି ଆସ୍ଥା ଭୋଟ ହୋଇପାରି ନଥିଲା। ବାଚସ୍ପତି ସୋମବାର ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ।

ଶେଷରେ ଆଜି କୁମାରସ୍ୱାମୀ ସରକାର ଆସ୍ଥା ଭୋଟର ସମ୍ମୁଖିନ ହୋଇଥିଲେ।

୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪ ସିଟ୍ ପାଇଥିବା ବେଳେ କଂଗ୍ରେସ-ଜେଡିଏସ୍‌ର ୧୧୬ ବିଧାୟକଙ୍କ ସମର୍ଥନ ବଳରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Comment