ଓଡ଼ିଶାଲାଇଭ ବ୍ୟୁରୋ

କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଟ୍ରମ୍ପଙ୍କ ବୟାନକୁ ମଙ୍ଗଳବାର ସଂସଦରେ ଖଣ୍ଡନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। କଶ୍ମୀର ପ୍ରସଙ୍ଗରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଲୋଡ଼ି ନାହାନ୍ତି ବୋଲି ସେ କହିଛନ୍ତି।

ହେଲେ ପ୍ରସଙ୍ଗରେ ବିରୋଧୀ ହଙ୍ଗାମା ଗୃହରେ ହଙ୍ଗାମା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଟ୍ରମ୍ପଙ୍କ ବୟାନକୁ ନେଇ ରାହୁଲ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।  ଏନେଇ ରାହୁଲ ଏକ ଟୁଇଟ କରିଛନ୍ତି। ପ୍ରସଙ୍ଗରେ ମୋଦି ନିଜେ ଦେଶବାସୀଙ୍କୁ ଘଟଣା କ’ଣ, ସତ କ’ଣ ଜଣାନ୍ତୁ ବୋଲି ସେ କହିଛନ୍ତି।

ଟ୍ରମ୍ପଙ୍କ ସହ ତାଙ୍କର କ’ଣ ଆଲୋଚନା ହୋଇଥିଲା ମୋଦି ସ୍ପଷ୍ଟ କରନ୍ତୁ। ବୈଦେଶିକ ମନ୍ତ୍ରୀଙ୍କ ଜରିଆରେ କହିଦେଇ ମୋଦି କାହିଁକି ଚୁପ୍ ବସିଛନ୍ତି ବୋଲି ରାହୁଲ କହିଛନ୍ତି।

ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଟ୍ରମ୍ପଙ୍କର ସୋମବାର ଆଲୋଚନା ହୋଇଥିଲା। ହ୍ୱାଇଟ ହାଉସରେ ହୋଇଥିବା ଏହି ଆଲୋଚନାରେ ଟ୍ରମ୍ପ କହିଥିଲେ ଯେ, କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କହିଛନ୍ତି। ଯଦି ଭାରତ ଓ ପାକିସ୍ତାନ ମଧ୍ୟସ୍ଥତା କରିବାର ସୁଯୋଗ ମିଳେ ତେବେ ସେ ଖୁସି ହେବେ ବୋଲି କହିଥିଲେ ଟ୍ରମ୍ପ। ସେପଟେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ମଧ୍ୟ ଏହାକୁ ସମର୍ଥନ କରିଥଲେ।

ହେଲେ ଟ୍ରମ୍ପଙ୍କ ଏହି ବୟାନକୁ ଭାରତ ଗ୍ରହଣ କରିନାହିଁ। ଭାରତ କେବେ ବି ଏଭଳି କିଛି ପ୍ରସ୍ତାବ ଆମେରିକାକୁ ଦେଇ ନାହଁ ବୋଲି ରବିଶ କୁମାର ସ୍ପଷ୍ଟ କରିଛନ୍ତି।

Comment