ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ାରେ ବଡ଼ ବିଜୟ। ୭ଟି ବିଧାନସଭା ଆସନରେ ଜିତିଲେ ବିଜେଡି ପ୍ରାର୍ଥୀ।

ପାଟକୁରା ବିଜୟ ସହ ପୂରା କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଥିବା ୭ ବିଧାନସଭା ଆସନକୁ ଦଖଲ କରିଛି ବିଜୁ ଜନତା ଦଳ। ୨୦୧୪ ନିର୍ବାଚନରେ ୪ଟି ଆସନରେ ବିଜୟୀ ହୋଇଥିବା ବିଜେଡି ଏଥର ପୂରା ୭ରୁ ୭ ଆସନ କବ୍‌ଜା କରିଛି। କେନ୍ଦ୍ରାପଡ଼ାରେ ବିଜେଡିର ବଡ଼ ବିଜୟ ହୋଇଥିବା କୁହାଯାଉଛି।

୨୦୧୪ ନିର୍ବାଚନରେ ଚିତ୍ର ଥିଲା ଭିନ୍ନ। କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧିନରେ ୪ ବିଧାନସଭା ଆସନକୁ ଅକ୍ତିଆର କରିଥିଲା ବିଜେଡି। ଆଉ ୩ଟି ଆସନ କଂଗ୍ରେସ ଖାତାକୁ ଯାଇଥିଲା। ରାଜନଗର ଆସନରେ କଂଗ୍ରେସର ଅଂଶୁମାନ ମହାନ୍ତି ବିଜୟୀ ହୋଇଥିବା ବେଳେ ଆଳିରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ବିଜୟୀ ହୋଇଥିଲେ। ସେହିପରି ସାଲେପୁରରେ କଂଗ୍ରେସର ପ୍ରକାଶ ବେହେରା ବିଜୟୀ ହୋଇଥିଲେ। ହେଲେ ୨୦୧୯ରେ ସମୀକରଣ ସମ୍ପୂର୍ଣ୍ଣ ବଦଳି ଯାଇଛି।

ରାଜନଗରରେ ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ଏଥର ବାଜିମାତ କରିଥିବା ବେଳେ ଆଳିରେ ଦେବେନ୍ଦ୍ର ଶର୍ମାଙ୍କୁ ହରାଇ ପ୍ରତାପକେଶରୀ ଦେବ ବିଜୟୀ ହୋଇଛନ୍ତି। ସାଲେପୁରରେ ପ୍ରକାଶ ବେହେରା କଂଗ୍ରେସ ଛାଡ଼ି ନିର୍ବାଚନ ପୂର୍ବରୁ ବିଜେପି ଯାଇଥିଲେ। ପ୍ରକାଶଙ୍କ ଦଳ ବଦଳକୁ ଗ୍ରହଣ କରି ନାହାନ୍ତି ଭୋଟର। ସାଲେପୁରରେ ପ୍ରକାଶଙ୍କୁ ହରାଇ ପ୍ରଶାନ୍ତ ବେହେରା ବିଜୟ ମୁକୁଟ ପିନ୍ଧିଥିଲେ।

ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଏଥର ପ୍ରାର୍ଥୀ ବଦଳାଇଥିଲା ବିଜେଡି। ୨୦୧୪ରେ ନିର୍ବାଚନ ଜିତିଥିବା କିଶୋର ତରାଇଙ୍କୁ ଏଥର ପ୍ରାର୍ଥୀ ନକରି ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ କରିଥିଲା। ଶଶୀ ମଧ୍ୟ ଏଠାରୁ ବିଜୟୀ ହୋଇଛନ୍ତି।

ମହାକାଳପଡ଼ା ଆସନରେ ବିଜେଡି ଦବ୍‌ଦବା ଜାହିର କରିଥିଲା। ଅତନୁସବ୍ୟସାଚୀ ନାୟକ ଏହି ଆସନରୁ ପୁଣି ଜିତି ନବୀନଙ୍କ ସମ୍ମାନ ରଖିଛନ୍ତି।

କେବଳ ପାଟକୁରା ଆସନରେ ନିର୍ବାଚନ ବାକି ରହିଥିଲା। ଏହି ଆସନରୁ କିଏ ବାଜିମାତ୍‌ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ବହୁ ଛକାପଞ୍ଝା ଭିତରେ ଏହି ଆସନ ବିଜେଡି ଖାତାକୁ ଆସିଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ଏଠାରୁ ବିଜୟୀ ହୋଇଛନ୍ତି।

ପାଟକୁରାକୁ ମିଶାଇ ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ଆସନକୁ କବ୍‌ଜା କରିଛି।

କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ମଧ୍ୟ ନିର୍ବାଚନ ବେଳେ ବିଜେପି-ବିଜେଡି ଭିତରେ ଛକାପଞ୍ଝା ଚାଲିଥିଲା। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଭିତରେ କଡ଼ା ଟକ୍କର ହୋଇଥିଲା। ଶେଷରେ ଅନୁଭବ ବାଜି ମାରିଥିଲେ।

କେନ୍ଦ୍ରାପଡ଼ା ଲୋକସଭା ଆସନ ପରେ ପାଟକୁରା ସମସ୍ତଙ୍କ ନଜରରେ ରହିଥିଲା। ପାଟକୁରାକୁ ମଧ୍ୟ ବିଜେଡି ଦଖଲ କରିଛି।

Comment